ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ ଘୋଷଣା କରାଯାଇଛି। ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଏବଂ ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ ମିଳିବ। ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବନ୍ୟା ପରବର୍ତ୍ତୀ ରୋଗ ପୋକ ଜନିତ କ୍ଷତିଗ୍ରସ୍ତ ପାଇଁ ୭୫% ସବସିଡି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ପାଇଁ ସହାୟତା ମିଳିବ। ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ମିଳିବ ଆର୍ଥିକ ସହାୟତା। ଇଚ୍ଛୁକ ଚାଷୀଙ୍କ ସ୍ବଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ କୃଷି ଋଣରେ ପରିବର୍ତ୍ତନ ହେବ। ଏହା ସହିତ ହସ୍ତଶିଳ୍ପ କ୍ଷତିଗ୍ରସ୍ତ ପାଇଁ ୫ହଜାର ଆର୍ଥିକ ସହାୟତା ମିଳିବ । ବାସନକୁସନ ଓ ପୋଷାକ ବାବଦକୁ ଅର୍ଥ ଯୋଗାଇ ଦେବେ ସରକାର। ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ ଚାଉଳ ଯୋଗାଣ ଜାରି ରହିବ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ୟାକେଜ ଅର୍ଥ ବଢ଼ିବ। ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ଥିବାରୁ ବନ୍ୟାଞ୍ଚଳ ବୁଲିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରି କହିଛନ୍ତି, ଲଗାତାର ବନ୍ୟା କିଛି ଜିଲାରେ କ୍ଷତି ଘଟାଇଛି। ଯାଜପୁରର ୧୦ ବ୍ଲକର ୨୭୦ ଗାଁରେ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଜିଲାରେ ୨୦୩ଟି ରିଲିଫ ସେଣ୍ଟର ଖୋଲାଯାଇଛି। ସେହିପରି ଭଦ୍ରକ ଜିଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି। ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୋଟ ଭାବେ ୬ ଜିଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ। ୬ ଜିଲାରେ ୪୫ ଓଡ୍ରାଫ ଓ ୮ NDRF ଟିମ ମୁତୟନ ଅଛନ୍ତି। ଆମର ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ। ଶହେରୁ ଊଦ୍ଧର୍ବ ଲୋକଙ୍କୁ ସାପ କାମୁଡ଼ିଛି, ଆମର ପ୍ରସ୍ତୁତି ପାଇଁ କାହାର ମୃତ୍ୟୁ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

