ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଲେ ଯୁଦ୍ଧ ଜାହାଜ

ପାରାଦୀପ,୨୫।୧୧(ସ୍ବ.ପ୍ର.): ପ୍ରତିବର୍ଷ ପରି ଚଳିତବର୍ଷ ରବିବାର ପାରାଦୀପ ବନ୍ଦରରେ ସର୍ବଧାରଣଙ୍କ ପାଇଁ ଲାଗିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ଘଡ଼ିଆଳ ଓ ରାଣା। ଏହାକୁ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିବାର ସୁଯୋଗ ପାଇଛନ୍ତି। ବନ୍ଦରାଞ୍ଚଳର ଜୟଦେବସଦନଠାରୁ ସ୍ବତନ୍ତ୍ର ବସ୍‌ ଯୋଗେ ଲୋକମାନେ ବନ୍ଦର ଭିତରକୁ ଯାଇ ଜାହାଜରେ ଚଢ଼ିଥିଲେ। ସେମାନଙ୍କୁ ନୌସେନାର ଯବାନମାନେ ଶୃଙ୍ଖଳିତ ଭାବେ ଜାହାଜ ସମ୍ପର୍କରେ ବୁଝାଇଥିଲେ। ବିଶେଷକରି ଛାତ୍ରୀଛାତ୍ର ଓ ଏନ୍‌ସିସି କ୍ୟାଡରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ରାଣାର କ୍ୟାପେଟନ୍‌ ଅତୁଲ ଦେଶଓ୍ବାଲା ଓ ଘଡ଼ିଆଳର କମାଣ୍ଡର ରୋହିତ କାର୍ଟ୍ଟାଜୁ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ଜାହାଜ ୨ଟିକୁ ଓଡ଼ିଶା ନୌସେନା ଅଧିକାରୀ ଋିତୁରାଜ ସାହୁ ଶନିବାର ସ୍ବାଗତ କରିଥିଲେ। ୧୯୭୧ ଡିସେମ୍ବର ୪ରେ ନୌସେନା କରାଚି ସହର ଉପରେ ଆକ୍ରମଣ କରି ବିଜୟ ଲାଭ କରିଥିଲା। ସେହି ଦିନକୁ ନୌସେନା ବିଜୟ ଦିବସ ଭାବେ ପାଳନ କରୁଛି। ତେଣୁ ବଜୟ ଦିବସ ଅବ୍ୟବହିତ ପୂର୍ବରୁ ଏଭଳି ଦେଶର ସବୁ ପୋର୍ଟରେ ଜନସାଧାରଣ ଓ ଛାତ୍ରୀଛାତ୍ରଙ୍କ ସହ ନୌସେନା ଯୋଡ଼ି ହେଉଛି। ଏହାଦ୍ୱରା ଛାତ୍ରୀଛାତ୍ର ଭବିଷ୍ୟତରେ ନୌସେନାରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି କୁହାଯାଇଛି। ପୂର୍ବବର୍ଷଗୁଡ଼ିକରେ ଗୋଟିଏ ଦିନ ଜନସାଧାରଣଙ୍କ ଦର୍ଶନ ପାଇଁ ଓ ଅନ୍ୟଦିନ ଡେ ଆର୍ଟ ସି (ସମୁଦ୍ରରେ ଦିନେ) କାର୍ଯ୍ୟକ୍ରମ କରାଯାଏ। ଚଳିତ ବର୍ଷ ସମୁଦ୍ରରେ ଦିନେ କାର୍ଯ୍ୟକ୍ରମ ହେବନାହିଁ। ସୋମବାର କେବଳ ଦର୍ଶକମାନେ ଜାହାଜ ଦେଖିବାର ସୁଯୋଗ ପାଇବେ।