ସ’ ମିଲ୍‌ରେ ଚଢ଼ାଉ : ୧୧ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

ବାଲେଶ୍ୱର ଅଫିସ, ୯।୬-ବାଲେଶ୍ୱର ଜିଲା ବନବିଭାଗ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ପୂର୍ବାହ୍ନରେ ସାରଗାଁ ଓ ଜୟଦେବକସବା ଅଞ୍ଚଳର ଦୁଇଟି ସ’ ମିଲ୍‌ ଉପରେ ଚଢ଼ାଉ କରାଯାଇ ୧୧ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏନେଇ ବାଲେଶ୍ୱର ସଦର ବନବିଭାଗ କାର୍ଯ୍ୟାଳୟରେ ମାମଲା (ନଂ. ୬ ଓ ୭/୨୦୨୦-୨୧) ରୁଜୁ କରାଯାଇଛି।
ଉକ୍ତ ଅଞ୍ଚଳରେ ଚୋରାକାଠ କାରବାର ବଢିଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ପୂର୍ବ ଯୋଜନା ଅନୁସାରେ ବିଭାଗୀୟ ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ଓ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ପୂର୍ବାହ୍ନରେ ଉଭୟ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ସାରଗାଁସ୍ଥିତ ମନୋରଞ୍ଜନ ପଣ୍ଡାଙ୍କ ସ’ମିଲ୍‌ରୁ ଯନ୍ତ୍ରାଂଶ ସମେତ ଅର୍ଜୁନ, ନିମ୍ବ, ଆକାଶିଆ, ଝାଉଁ, ଆମ୍ବ ଭଳି ୬୫ସିଏଫ୍‌ଟି କାଠ (ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା) ଜବତ କରାଯାଇଥିଲା। ସେହିପରି ଜୟଦେବକସବା ଅଞ୍ଚଳର ରବୀନ୍ଦ୍ର ପୋଇଙ୍କ ସ’ ମିଲ୍‌ ଉପରେ ଚଢ଼ାଉ କରାଯାଇ ବିଭିନ୍ନ ଦାମୀ ୪୯ ସିଏଫ୍‌ଟି କାଠ ଓ ବ୍ୟବହୃତ ଯନ୍ତ୍ରାଂଶ (ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା) ଜବତ କରାଯାଇଥିବା ସଦର ଫରେଷ୍ଟର ବିବେକାନନ୍ଦ ଜେନା ପ୍ରକାଶ କରିଛନ୍ତି। ସଦର ଥାନା ପୋଲିସ ଓ ୧ ପ୍ଲାଟୁନ ଏପିଆର୍‌ ଫୋର୍ସ ସହାୟତା କରିଥିବା ବେଳେ ଚଢ଼ାଉରେ ଚାନ୍ଦିପୁର ରେଞ୍ଜର କ୍ଷୀରାବ୍ଧି ପ୍ରଧାନ, ଭିଜିଲାନ୍ସ ଡିଏସ୍‌ପି ଦକ୍ଷିଣଚନ୍ଦ୍ର ମୁର୍ମୁ, ରେଞ୍ଜର ଶ୍ୟାମ ସିଂ, ଇନ୍ସପେକ୍ଟର ସୁଲୋଚନା ନାୟକ ଓ ଲକ୍ଷ୍ମୀନାରାୟଣ ମୁଖୀ, ଫରେଷ୍ଟଗାର୍ଡ ଶଶାଙ୍କ ଜେନା ଓ ଶଶିଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।