ସ୍ବାୟତ ଶାସନ ଦିବସରେ ଖୋଲିବ ଆନନ୍ଦପୁର ଶିଶୁ ପାର୍କ

ଆନନ୍ଦପୁର,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ୭ ନଂ ଓ୍ବାର୍ଡ ବ୍ରିଜଛକଠାରେ ପାଖାପାଖି କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶିଶୁ ପାର୍କର ଲୋକାର୍ପଣ ଉତ୍ସବ ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହୋଇଥିଲା। ଲୋକାର୍ପଣ ସତ୍ତ୍ୱେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଶିଶୁମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଏହା ଖୋଲାଯାଇ ପାରି ନ ଥିଲା। ଦୀର୍ଘ ୬ ମାସ ଧରି ଶିଶୁ ପାର୍କରେ ତାଲା ପଡିରହିବା ଘଟଣା ଏବଂ ଏହାର ପରିସର ବୃକ୍ଷଲଟାରେ ପରିପୂର୍ଣ୍ଣ ହୋଇ ବ୍ୟବହାର ଅନୁପଯୋଗୀ ହେବା ଘଟଣାକୁ ନେଇ ନାନା ଅସନ୍ତୋଷ ଦେଖାଦେଇଥିଲା। ଫଳରେ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଶିଶୁ ପାର୍କ ତାଲା ଖୋଲିବା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏପରିକି ଶିଶୁ ପାର୍କ ଖୋଲା ନ ଗଲେ ଧାରଣା ଦିଆଯିବ ବୋଲି ପ୍ରେସ୍‌ କ୍ଲବ ପକ୍ଷରୁ କୁହାଯାଇଥିଲା। ଚଳିତ ମାସ ଗତ ୧୯ ତାରିଖରେ ଆନନ୍ଦପୁର ବ୍ଲକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପ୍ରେସ୍‌ କ୍ଲବ ପକ୍ଷରୁ ଏ ନେଇ ପୂନର୍ବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲାପାଳ ଦୁଇ ଦିନ ମଧ୍ୟରେ ଶିଶୁ ପାର୍କ ତାଲା ଖୋଲିବାକୁ ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପାର୍କ ପରିସରରେ ଥିବା ଅନାବନା ଘାସ ଲଟା ସଫା କରିବା ସହିତ ଅନ୍ୟ କାର୍ଯ୍ୟ ସବୁକୁ ଶେଷ କରିବାକୁ ବିଳମ୍ବ ହୋଇଥିଲା। ଫଳରେ ଏହାର ତାଲା ଖୋଲା ଯାଇପାରି ନ ଥିଲା। ତେବେ ଆଗାମୀ ୩୧ ତାରିଖ ସ୍ବାୟତ ଶାସନ ଦିବସ ଅବସରରେ ଶିଶୁ ପାର୍କର ତାଲା ଖୋଲାଯାଇ ଶିଶୁଙ୍କ ବ୍ୟବହାରରେ ଲାଗିବ ବୋଲି ପୌର ଅଧିକାରୀ ସାମଲ ସୂଚନା ଦେଇଛନ୍ତି।