ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌ ଜାତୀୟ ଖାଦ୍ୟ ସାଙ୍ଗକୁ ବ୍ୟାୟାମର ଅଭାବ ଓ ଅଫିସ୍‌ରେ ବସି ରହି କାମ କରିବା ଯୋଗୁ ପେଟରେ ଚର୍ବି ଜମିବା ଭଳି ସମସ୍ୟା ସୃଷ୍ଟି ହେଉଛି। ଏହି ଚର୍ବି ଯୋଗୁ ଧମନୀଗୁଡିକର ସଙ୍କୋଚନ ପ୍ରସାରଣରେ ସମସ୍ୟା ଦେଖାଦିଏ। ହୃତ୍‌ପିଣ୍ଡ ଉପରେ ଚାପ ପଡିଥାଏ। ଫଳରେ ହୃଦ୍‌ରୋଗ ଆଶଙ୍କା ବଢିଯାଏ। ରକ୍ତଚାପ, ମସ୍ତିଷ୍କ ଆଘାତ ସହ କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ସୃଷ୍ଟି ହୁଏ। ପେଟର ଚର୍ବିରୁ ମାରାତ୍ମକ ବିଷ ବି ତିଆରି ହୁଏ। ତେଣୁ ପ୍ରତିଦିନ ଯଦି ଘଣ୍ଟାପ୍ରତି ୫ କି.ମି. ବେଗରେ ଏକଘଣ୍ଟା ସାଇକେଲିଂ କରାଯାଏ, ତେବେ ୨୫୦ରୁ ୩୦୦ କ୍ୟାଲୋରି ଦହନ ହୋଇଥାଏ। ଖାସ୍‌କରି ବାହାରେ ସାଇକେଲିଂ କଲେ ବେଶି ଉପକାର ମିଳିଥାଏ। ତେଣୁ ପ୍ରତିଦିନ ସାଇକେଲିଂ କରିବା ଜରୁରୀ ବୋଲି କୁହନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ନିରଞ୍ଜନ ତ୍ରିପାଠୀ। ସାଇକେଲିଂ ସ୍ବାସ୍ଥ୍ୟ ପାଇଁ ଯେତିକି ଉପକାରୀ ପରିବେଶ ପାଇଁ ବି ଏହା ସେତିକି ଭଲ। ଖର୍ଚ୍ଚ ବି ନାହିଁ କହିଲେ ଚଳେ। ତେଣୁ ଧୀରେ ଧୀରେ ସମସ୍ତେ ସାଇକେଲକୁ ସାଥୀଭାବେ ବାଛିନେବା ଭଲ। ଅଫିସ୍‌ ହେଉକି ଆଖପାଖ ଯେଉଁଠିକୁ ଗଲେ ବି ବାଇକ୍‌ ବ୍ୟବହାର ନ କରି ଯଦି ସାଇକେଲ ବ୍ୟବହାର କରାଯାଇପାରିବ ପ୍ରଦୂଷଣ ଅନେକାଂଶରେ କମିଯିବ। ଦ୍ରୁତ ଗତି ପାଇଁ ଚାହିଁଲେ ସୋଲାର ସାଇକେଲ୍‌ ବି ବ୍ୟବହାର କରିପାରିବେ। ଫଳରେ ଗନ୍ତବ୍ୟସ୍ଥଳକୁ ଠିକ୍‌ ସମୟରେ ପହଞ୍ଚିବା ସହ ବାୟୁ ପ୍ରଦୂଷିତ ହେବାର ଚିନ୍ତା ରହିବନି। ଯେବେ ସମସ୍ତେ ସଚେତନ ହେବେ ତେବେ ଯାଇ ପରିବେଶ ସୁସ୍ଥ ରହିପାରିବ ବୋଲି ବ୍ୟକ୍ତ କରନ୍ତି ଡା. ତ୍ରିପାଠୀ।