‘ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ,୨ା୬(ପି.ଟି.): ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା ଏବଂ ରୁକ୍ଷ ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। ଏଗୁଡ଼ିକ ଭିଡ଼ ମାନସିକତାର ପରିଣାମ ବୋଲି ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ହେଲ୍ଥ ସାଇନ୍ସେସ୍‌ର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଓ ଅନ୍ୟମାନେ ଆଗଧାଡ଼ିର କରୋନା ଯୋଦ୍ଧା। ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ସୈନିକ ଭଳି କୋଭିଡ୍‌-୧୯ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି। ଏହି ଭୂତାଣୁ ଅଦୃଶ୍ୟ ଶତ୍ରୁ ହୋଇଥିବାବେଳେ ଆମ କରୋନା ଯୋଦ୍ଧା ମେଡିକାଲ କର୍ମଚାରୀ ହେଉଛନ୍ତି ଅପରାଜେୟ। ସେମାନେ ନିଶ୍ଚୟ ବିଜୟୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଯେକୌଣସି ପ୍ରକାର ହିଂସାରୁ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସୁରକ୍ଷା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗଧାଡ଼ିର ଏହି ଯୋଦ୍ଧାଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଇଛି। କରୋନା ଯୁଦ୍ଧରେ ସାମିଲ ଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହିଂସା କିମ୍ବା ରୁକ୍ଷ ବ୍ୟବହାର ପ୍ରଦର୍ଶନକୁ ଜାମିନବିହୀନ ଅପରାଧ ବିବେଚିତ କରାଯାଉଛି। ଏଥିପାଇଁ ସରକାର ଏପ୍ରିଲରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ଏଥିରେ ସର୍ବାଧିକ ୭ ବର୍ଷ ଜେଲ୍‌ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ହିଂସାରେ ସ୍ବାସ୍ଥ୍ୟ କର୍ମଚାରୀ ଗୁରୁତର ହେଲେ ଦୋଷୀଙ୍କ ବିରୋଧରେ ଦଣ୍ଡ ପରିମାଣ ୬ ମାସରୁ ୭ ବର୍ଷ ଏବଂ ଜରିମାନା ପରିମାଣ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ।

Share