ସ୍ବାସ୍ଥ୍ୟସେବା ଗବେଷଣା ପାଇଁ ଢେଙ୍କାନାଳରେ ବିଦେଶୀ ଛାତ୍ରୀ: କଲେଜ ପିଲାଙ୍କ ସହ ମତ ବିନିମୟ କଲେ

ଢେଙ୍କାନାଳ ଅଫିସ, ୨୧।୮-ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଧିକ ଗବେଷଣା କରିବାକୁ ଢେଙ୍କାନାଳରେ ପହଞ୍ଚତ୍ଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ୫ଜଣ ଛାତ୍ରୀ। ସମ୍ପୃକ୍ତା ବିଦେଶୀ ଛାତ୍ରୀମାନେ ମଙ୍ଗଳବାର ଢେଙ୍କାନାଳ କଲେଜରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।
ଓଡ଼ିଶାର ଗ୍ରାମୀଣ ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାକୁ ସ୍ବେଚ୍ଛାସେବୀ ସଙ୍ଗଠନ ‘ଶୋଭା’ ସହାୟତାରେ ଛାତ୍ରୀ ନିଶା ଆରିଆ, ଅପର୍ଣ୍ଣା ଇନ୍ଦିରାଗାନ୍ଧୀ, ଶ୍ରେୟା ବାଗଚନ୍ଦନ, ଓଲିଭା, ଚାସ୍‌ ଚାସ୍ତିଡ଼ି ପ୍ରମୁଖ ଢେଙ୍କାନାଳ ଆସିଛନ୍ତି। ସେମାନଙ୍କ ଲାଗି କଲେଜ ପକ୍ଷରୁ ସ୍ବତନ୍ତ୍ର ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଦେଶୀ ଛାତ୍ରୀମାନେ ଦେଶର ଶିକ୍ଷାବ୍ୟବସ୍ଥା, ବୃତ୍ତିଚୟନ, ସମାଜସେବା, କୁମାରୀ ସ୍ବାସ୍ଥ୍ୟ ଆଦି ବିଷୟରେ କଲେଜର ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। କଲେଜ ଅଧ୍ୟକ୍ଷା ପ୍ରଫେସର ରଶ୍ମି ମିଶ୍ର ବିଦେଶୀ ଛାତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଲେ, ଏପରି କାର୍ଯ୍ୟକ୍ରମ କଲେଜର ପିଲାମାନଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ।
ପ୍ରାରମ୍ଭରେ ସମ୍ପୃକ୍ତା ଛାତ୍ରୀମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉଭୟ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମହାବିଦ୍ୟାଳୟର ପଠନ ଗୃହ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁମିତ୍ରା ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟାପିକା ରଞ୍ଜିତା କୁମାରୀ ମହାନ୍ତି ପଠନ ଗୃହର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଦେବାଶିଷ ମହାନ୍ତି, ସୁରେଶ ବଳିଆରସିଂ, ପ୍ରଜ୍ଞା ପାରମିତା ପ୍ରଧାନ, ପଦ୍ମକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରୀମାନେ ମହାବିଦ୍ୟାଳୟର ଭିତ୍ତିଭୂମି, ପ୍ରାକୃତିକ ପରିବେଶ ବୁଲି ଦେଖିଥିଲେ।