ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ବର୍ଷ ଜେଲ୍‌ ଦଣ୍ଡ: ମୋଦି ସରକାର ଆଣିଲେ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି ମୋଦି ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ୧୨୩ ବର୍ଷର ପୁରୁଣା ଆଇନକୁ ପରିବର୍ତ୍ତନ କରାଯିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ଅଧ୍ୟାଦେଶ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅଧ୍ୟାଦେଶ ଅନୁସାରେ ଯଦି ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କେହି ଆକ୍ରମଣ କରେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କଲେ ଆକ୍ରମଣକାରୀଙ୍କୁ ଜାମିନ ନ ମିଳିବା ସହ ୩୦ ଦିନ ଭିତରେ ଘଟଣାର ଯାଞ୍ଚ ଶେଷ ହେବ। ଏହି ମାମଲା ଉପରେ ଏକ ବର୍ଷ ମଧ୍ୟରେ ନିଷ୍ପତ୍ତି ନିଆଯିବ ଏବଂ ଆକ୍ରମଣଙ୍କକାରୀଙ୍କୁ ୩ମାସରୁ ୫ବର୍ଷ ଯାଏଁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି। ଏତଦ୍‌ ବ୍ୟତୀତ ଗୁରୁତର ମାମଲାରେ ଆକ୍ରମଣକାରୀଙ୍କୁ ୬ମାସରୁ ସର୍ବାଧିକ ୭ବର୍ଷର ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ ଅଭିଯୁକ୍ତଙ୍କୁ ୫୦ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର ସୂଚନା ଦେଇଛନ୍ତି।

Share