ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ହେଲେ କୋଣାର୍କ ଥାନା ଅଧୀନ ଖରାଗାଁ ତଳସାହି ଗ୍ରାମର ରବୀନ୍ଦ୍ର ଛାଟୋଇଙ୍କ ସ୍ତ୍ରୀ ଅହଲ୍ୟା ଛାଟୋଇ (୪୫)। ଏହି ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ୨ଘଣ୍ଟା ଧରି ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ ହୋଇଥିବାବେଳେ ଡ୍ରାଇଭର ଫେରାର ଥିବା ପୋଲିସ୍‌ କହିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଏବଂ ଅହଲ୍ୟା ଗୋପ ଥାନା ଅଧୀନ ଓରୁଆଳି ଗ୍ରାମର ନଣନ୍ଦେଇ ଧନେଶ୍ୱର ସେନାପତିଙ୍କ ଘରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଏକ ସ୍କୁଟି (ନଂ. ଓଡି ୦୨ ୱାଇ-୬୬୫୦) ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ବାଲି ବୋଝେଇ ଟ୍ରକ୍‌ (ନଂ. ଓଡି ୧୪ଆର୍‌-୧୧୫୦) ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ନିଜର ଭାରସାମ୍ୟ ହରାଇବାବେଳେ ପଛରେ ବସିଥିବା ଅହଲ୍ୟା ଓଲଟି ପଡ଼ିଥିଲେ। ଅହଲ୍ୟାଙ୍କ ମୁଣ୍ଡ ଉପରେ ଟ୍ରକ ଚଢ଼ିଯାଇଥିଲା। ଅହଲ୍ୟାଙ୍କୁ ରାସ୍ତା ଉପରୁ ଟେକି ଆଣି ଡାକ୍ତରଖାନା ନେବା ପାଇଁ ରବୀନ୍ଦ୍ର ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନ ଥିଲେ। ତାଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କ ଜୀବନ ଦୀପ ଲିଭିଯାଇଥିଲା। ପରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତାରୋକୋ କରିଥିଲେ। ବଣିଆସାହିର ପୂର୍ବତନ ସରପଞ୍ଚ ନିରଞ୍ଜନ ଶଗଡ଼ିଆ ଏବଂ ପୋଲିସ ସେମାନଙ୍କୁ ବୁଝାଶୁୁଝା କରିଥିଲେ। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା।