ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ସହ ତାଙ୍କର ସମ୍ପର୍କ ଥିବା ଏବଂ ତାଙ୍କୁ ବିବାହ କରିଥିବା ମହିଳା ଜଣକ ଦାବି କରିଥିଲେ। ଏଥିସହ ଯୁବକ ଜଣକ ଅନ୍ୟ କେଉଁଠି ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ କରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ।
ଅଭିଯୋଗ ମୁତାବକ, କଲିକତାର ସମ୍ପୃକ୍ତା ମହିଳା(୨୯)ଙ୍କୁ କାମାକ୍ଷାନଗର ଥାନା ଅଞ୍ଚଳର ଯୁବକ ଜଣକ ବିବାହ କରି ୧୦ ବର୍ଷ ଧରି ଏକାଠି କଲିକତାରେ ରହିଥିଲେ। ହେଲେ ୨ ବର୍ଷ ହେବ ଯୁବକ ସେଠାରୁ ପଳାଇ ଆସି ଭୁବନେଶ୍ୱରରେ ରହୁଛନ୍ତି। ସମ୍ପୃକ୍ତା ମହିଳାଙ୍କ ସହ କୌଣସି ଯୋଗାଯୋଗ ନ ରଖିବା ସହ ଯୁବକ ଜଣକ ଅନ୍ୟତ୍ର ବିବାହ କରିଥିବା ମହିଳା ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ରବିବାର ରାତିରେ ମହିଳା ଜଣକ କାମାକ୍ଷାନଗର ଆସି ଯୁବକଙ୍କ ଘର ଆଗରେ ଧାରଣା ଦେଇଥିଲେ। ଯୁବକଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ସେ କହିଛନ୍ତି। ଖବରପାଇ କାମାକ୍ଷାନଗର ପୋଲିସ ଓ ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ଆଇଆଇସି ନିରଞ୍ଜନ ସେଠୀ କୁହନ୍ତି, ଗ୍ରାମବାସୀ ଓ ଥାନା ପକ୍ଷରୁ ବୁଝାଶୁଝା ପରେ ମହିଳା ଜଣକ କଲିକତା ଫେରିଯାଇଛନ୍ତି। ସେ ବିବାହର ପ୍ରମାଣ ପତ୍ର ଧରି ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।