ସ୍ବାଭାବିକ ପରିସ୍ଥିତିକୁ ଆସିଲା ଆନନ୍ଦପୁର ମହାବିଦ୍ୟାଳୟ

ଆନନ୍ଦପୁର,୨୭।୧୧(ସ୍ବ.ପ୍ର.): ଆନନ୍ଦପୁର ମହାବିଦ୍ୟାଳୟ ସ୍ବାଭାବିକ ପରିସ୍ଥିତିକୁ ଆସିଛି। ମହାବିଦ୍ୟାଳୟର ମୁଖ୍ୟ ଗେଟ୍‌ ପାଖରେ ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ଯାଞ୍ଚ, ୟୁନିଫର୍ମ ତଦାରଖ କରାଯାଉଛି। ସେମାନେ କିପରି ଶାନ୍ତିଶୃଙ୍ଖଳାରେ ଯାଇପାରିବେ ସେନେଇ କଡ଼ା ନଜର ରଖାଯାଇଛି। କେବଳ ମହାବିଦ୍ୟାଳୟ ଖେଳପଡିଆକୁ ଛାଡ଼ି ପାଠପଢା ପରିସରକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ପଡ଼ିଆରେ ଏକ ଗେଟ୍‌ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଛି। କଲେଜ ପରିସର ନିୟନ୍ତ୍ରଣାଧୀନ ରହିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିଲା। ଏପରିକି ମଙ୍ଗଳବାର ମହାବିଦ୍ୟାଳୟ ବନ୍ଦ ଥିଲା। ବୁଧବାର ମହାବିଦ୍ୟାଳୟ କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟ ଆପୋଷ ସମାଧାନ କରାଯିବାରୁ ପରିସ୍ଥିତି ସ୍ବାଭାବିକ ହୋଇଛି।