ବରଗଡ଼ ଅଫିସ, ୧୪।୩- ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ ଏବଂ ଏପ୍ରିଲ ୨୯ ତାରିଖ କୋଶଲ ମହାବନ୍ଦ କରାଯିବ। ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କୋଶଲ ରାଜ୍ୟ ସମନ୍ବୟ ସମିତି କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଏଥର ଆନ୍ଦୋଳନରେ ଆହୁରି ୩ଟି ଦାବି ଅର୍ଥାତ୍ କୋଶଲାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବି ଯୋଡ଼ାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ମନୋରଞ୍ଜନ ସିଂ ବରିହା, ନାରାୟଣ ମହାପାତ୍ର, ବିଭୁଦତ୍ତ ମିଶ୍ର, ପ୍ରଶାନ୍ତ ମାଝି ପ୍ରମୁଖ ଥିଲେ।


