ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଗଡିଲା ସଚେତନତା ରଥ

ସୋନପୁର,୫।୯(ନି.ପ୍ର.) : ସ୍ବଚ୍ଛ ସର୍ବେକ୍ଷଣ-୧୯ ପାଇଁ ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ସଚେତନ କରିବ ରଥ। ପ୍ରଥମ ପର୍ଯ୍ୟାୟରେ ୩ଟି ରଥ ଜିଲାର ୬ଟି ବ୍ଲକ ପରିକ୍ରମା କରିବ। ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଆଉ ୩ଟି ରଥ ପରବର୍ତ୍ତୀ ପର୍ଯ୍ୟାୟରେ ସାମିଲ ହେବ ବୋଲି ଜଣାପଡିଛି। ସ୍ବଚ୍ଛ ସର୍ବେକ୍ଷଣ ମାଧ୍ୟମରେ ସୁବର୍ଣ୍ଣପୁର ଜିଲାର ସ୍ବଚ୍ଛତା, ପରିସ୍କାର ଓ ପରିଚ୍ଛନ୍ନତାର ମାନ ନିର୍ଦ୍ଧାରଣ ନିମନ୍ତେ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଛି। ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଜନସାଧାରଣ ବାହାରେ ମଳତ୍ୟାଗ ନକରି ଘରେ ରହିଥିବା ବ୍ୟକ୍ତିଗତ ପାଇଖାନା ବ୍ୟବହାର କରିବା, ପଲିଥିନ ବର୍ଜନ କରିବା, ଗ୍ରାମ୍ୟ ରାସ୍ତା ଓ ଘର ଅଗଣା ପରିସ୍କାର ରଖିବା, ନଳକୂପ ଚତୁଃପାର୍ଶ୍ୱ ସଫାସୁତୁରା ରଖିବା ଓ ଗ୍ରାମକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବାକୁ ଗ୍ରାମବାସୀଙ୍କୁ ରଥ ସଚେତନତା କରିବ। ରଥରେ ଗୀତ ମାଧ୍ୟମରେ ସଚେତନତା ସହ ପ୍ରଚାରପତ୍ର ବଣ୍ଟନ କରାଯିବ। ଏହି ସର୍ବେକ୍ଷଣରେ ଜନସାଧାରଣ ମତାମତ ରଖିବା ନିମନ୍ତେ ମୋବାଇଲ ଆପ ଗୁଗୁଲ ପ୍ଲେର ଏସଏସଜି୨୦୧୯କୁ ଡାଉନ ଲୋଡ କରି ସେଥିରେ ମତାମତ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ, ବୀରମହାରାଜପୁରର ଭାରପ୍ରାପ୍ତ ବିଡିଓ ନିରଞ୍ଜନ ନାଏକ, ଜ୍ୟୋତି ପଟ୍ଟନାୟକ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କମିଷ୍ଠ ଯନ୍ତ୍ରୀ ଓ ବିଆରସିସିମାନେ ଯୋଗ ଦେଇଥିଲେ।