ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ନିଶାଶକ୍ତ ସ୍ବାମୀ

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ସହର ସାନ୍ତରାପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ସ୍ବାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ସୂଚନାଯୋଗ୍ୟ, ସାନ୍ତରାପୁର ସାହିରେ ରହୁଥିବା ବାବୁଲି ପ୍ରଧାନ ରଙ୍ଗ ମିସ୍ତ୍ରୀ ଭାବେ କାମ କରେ। ଶୁକ୍ରବାର ରାତିରେ ପ୍ରଚୁର ମଦ ପିଇ ବାବୁଲି ଘରକୁ ଫେରିବା ପରେ ଘରେ ଖାଇବାକୁ ନେଇ ସ୍ତ୍ରୀ ମଞ୍ଜୁ ପ୍ରଧାନଙ୍କ ସହ ଝଗଡ଼ା କରିଥିଲେ। ଏହି କଳହ ଏତେ ଦୂର ବଢ଼ିଯାଇଥିଲା ଯେ, ଉତ୍ତ୍ୟକ୍ତ ମଦ୍ୟପ ସ୍ବାମୀ ସ୍ତ୍ରୀ ମଞ୍ଜୁଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ବାବୁଲି ମୃତଦେହକୁ ଏକ କନ୍ଥାରେ ଗୁଡ଼ାଇ ରଖିଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ବାବୁଲିଙ୍କୁ ଗିରଫ କରିଛି। ଏଥିସହ ବିଳମ୍ବିତ ରାତିରେ ପୋଲିସ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ସୂଚନା ମିଳିଛି। ଅପରପକ୍ଷେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।