Categories: ଜାତୀୟ

ସ୍କୁଲରେ ମନା ହେବ ଜଙ୍କ୍‌ ଫୁଡ୍‌

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦେଶରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌ଶୀଘ୍ର ଜଙ୍କ୍‌ ଫୁଡ୍‌ ମନା ହେବ। ଆଳୁ ଓ୍ବେଫର୍ସ, ସଫ୍ଟ ଡ୍ରିଙ୍କ୍‌ସ ଓ ଅନ୍ୟ ଜଙ୍କ୍‌ ଫୁଡ୍‌ଗୁଡ଼ିକ ଆଉ ସ୍କୁଲ କ୍ୟାଣ୍ଟିନରେ ମିଳିବ ନାହିଁ। ଏହାସହ ସ୍କୁଲ୍‌ କ୍ୟାମ୍ପସ୍‌ର ୫୦ ମିଟର ପରିସରରେ ଏଭଳି ଖାଦ୍ୟର ବିଜ୍ଞାପନ ମଧ୍ୟ ଲାଗିପାରିବ ନାହିଁ। ପିଲାଙ୍କୁ ସୁରକ୍ଷିତ ଓ ଅପମିଶ୍ରଣମୁକ୍ତ ଖାଦ୍ୟ ଖାଇବା ଲାଗି ଉତ୍ସାହିତ କରିବା ସକାଶେ ଖୁବ୍‌ଶୀଘ୍ର ଏହି କଟକଣା ଲାଗୁ କରାଯିବ। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି।
‘ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌ (ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ) ନିୟନ୍ତ୍ରଣ, ୨୦୧୯’ ଶୀର୍ଷକ ଏକ ଚିଠା ଆଇନ ଖାଦ୍ୟ ନିୟନ୍ତ୍ରକ ଏଫ୍‌ଏସ୍‌ଏସ୍‌ଏଆଇ ପ୍ରଣୟନ କରିଛି। ପ୍ରସ୍ତାବ ଅନୁସାରେ ସ୍କୁଲ ପରିସରରେ ଜଙ୍କ୍‌ ଫୁଡ୍‌ ବିକ୍ରି ବନ୍ଦ କରାଯିବ। ଯେଉଁ ଖାଦ୍ୟଗୁଡ଼ିକରେ ଫ୍ୟାଟ୍‌, ଲୁଣ ଓ ଚିନିର ମାତ୍ରା ଅଧିକ ଥିବ ସେଗୁଡ଼ିକ ହଷ୍ଟେଲ କିଚେନରେ ମିଳିବ ନାହିଁ। ୫୦ ମିଟର ଭିତରେ ଏହାର ବିଜ୍ଞାପନ ଉପରେ କଟକଣା ଲାଗିବ। ଫୁଡ୍‌ ବିଜ୍‌ନେସ୍‌ ଅପରେଟର୍ସ ଏଭଳି ଖାଦ୍ୟର ବିଜ୍ଞାପନ ଲଗାଇପାରିବେ ନାହିଁ। ଚିଠା ଆଇନ ସମ୍ପର୍କରେ ୩୦ ଦିନ ମଧ୍ୟରେ ଏନେଇ ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ାଯାଇଛି। ଏ ସଂକ୍ରାନ୍ତ ଆଇନ ଅଣାଯିବ ବୋଲି ଗତ ଜୁନ୍‌ରେ ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ପବନ କୁମାର ଅଗ୍ରଓ୍ବାଲ ଘୋଷଣା କରିଥିଲେ।

Share