Categories: ବାଣିଜ୍ୟ

ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଲିଙ୍କ୍‌: ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୦-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ ମଞ୍ଚରେ ଶୁଣାଣି ଲାଗି ଫେସ୍‌ବୁକ୍‌ ଇଙ୍କ୍‌(ଇନକର୍ପୋରେଟେଡ) ପକ୍ଷରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ଏହାକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ଗୁଗଲ, ଟୁଇଟର, ୟୁଟ୍ୟୁବ୍‌କୁ ନୋଟିସ ଜାରି କରିଛନ୍ତି। ନୋଟିସ ପାଇ ନ ଥିବା ପକ୍ଷଙ୍କୁ ଇ-ମେଲ୍‌ ଯୋଗେ ଏହା ପଠାଇବାକୁ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୩ ସୁଦ୍ଧା ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫେସ୍‌ବୁକ ପକ୍ଷରୁ ଆବେଦନରେ ଦର୍ଶାଯାଇଛି ଯେ, ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଯୋଡିବା ନେଇ ୪ ମାମଲା ବିଭିନ୍ନ ଅଦାଲତରେ ଦାଏର ହୋଇଛି। ସେଥିମଧ୍ୟରୁ ୨ ମାମଲା ମାଡ୍ରାସ ହାଇକୋର୍ଟ, ଗୋଟିଏ ବମ୍ବେ ହାଇକୋର୍ଟ ଓ ଗୋଟିଏ ମଧ୍ୟପ୍ରଦେଶ ହାଇକୋର୍ଟରେ ଦାଏର କରାଯାଇଛି। ସବୁ ଆବେଦନରେ ପ୍ରାର୍ଥନା ଗୋଟିଏ ପ୍ରକାରର ହୋଇଥିବାରୁ ଭିନ୍ନ ଭିନ୍ନ ଅଦାଲତରେ ଶୁଣାଣି କରିବା ଅପେକ୍ଷା ଗୋଟିଏ ମଞ୍ଚ ଅର୍ଥାତ ସୁପ୍ରିମକୋର୍ଟରେ ଶୁଣାଣି କରାଯାଉ। ଏହାଦ୍ୱାରା ଭିନ୍ନ ରାୟ ପ୍ରକାଶ ପାଇବାରୁ ଦୂରେଇ ହେବ। ଖଣ୍ଡପୀଠ ମାମଲାର ପ୍ରାରମ୍ଭିକ ଶୁଣାଣି କରି ସୋସିଆଲ ମିଡିଆର ପ୍ରୋଫାଇଲକୁ ୧୨ ସଂଖ୍ୟା ଥିବା ଆଧାର ସହ ଯୋଡିବା ନେଇ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେବା ସହ ଚୂଡ଼ାନ୍ତ ରାୟ ପ୍ରକାଶ ନ କରିବାକୁ କହିଛନ୍ତି।

Share