ସେଲୁନ, ପାର୍ଲର୍‌ ଖୋଲିବାକୁ ଅନୁମତି ମାଗିଲା ବାରିକ ସଂଘ

 

ରାୟଗଡ଼ା ଅଫିସ,୩ା୫: ଦୀର୍ଘ ଦିନ ଧରି ଲକ୍‌ଡାଉନ ଯୋଗୁ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସେଲୁନ ଓ ପାର୍ଲର୍‌ଗୁଡ଼ିକ ବନ୍ଦ ଯୋଗୁ ବାରିକମାନେ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛନ୍ତି। କଟକଣା କୋହଳ ପରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ହେଲେ ସାଲୋନ୍‌ ଓ ପାର୍ଲର୍‌ ଗୁଡ଼ିକୁ ଅନୁମତି ମିଳିନାହିଁ, ଯଦ୍ଦ୍ବାରା ଏମାନଙ୍କ ପରିବାର ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ପୁଣି ଥରେ ଏଗୁଡ଼ିକୁ ଖୋଲିବାକୁ ଅନୁମତି ଦେବା ପାଇଁ ରାୟଗଡ଼ା ଜିଲା ବାରିକ ସେବା ସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଛି। ସରକାରଙ୍କ ସମସ୍ତ ନିୟମ ପାଳନ କରି ବ୍ୟବସାୟ ଚଳାଇବୁ ବୋଲି ସେମାନେ ଜିଲାପାଳଙ୍କୁ ଜଣାଇଛନ୍ତି। ଏ ନେଇ ସଂଘ ସଭାପତି ଜି. ରଘୁ, ସମ୍ପାଦକ ଟି. ସତେଶ୍ୱର ରାଓ, ପରାମର୍ଶଦାତା ହଳଧର ମିଶ୍ରଙ୍କ ସମେତ ଶତାଧିକ କର୍ମୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।