Categories: ବାଣିଜ୍ୟ

ସେନ୍‌ସେକ୍ସର ନୂଆ ରେକର୍ଡ; ନିବେଶକଙ୍କୁ ଲାଭ ୧.୭୬ ଲକ୍ଷ କୋଟି

ମୁମ୍ବାଇ,୪-୬: ମୋଦି ସରକାର କ୍ଷମତାକୁ ଫେରିବା ପରେ ନିବେଶକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। ସୋମବାର କାରବାର ବନ୍ଦ ହେବା ବେଳକୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବିଏସ୍‌ଇ ସେନ୍‌ସେକ୍ସ ୫୫୩.୪୨ ପଏଣ୍ଟ ବୃଦ୍ଧି ପାଇ ୪୦,୨୬୭.୬୨ରେ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ୧୬୫.୭୫ ପଏଣ୍ଟ ବଢ଼ି ୧୨,୦୮୮.୫୫ରେ ରହି ନୂଆ ରେକର୍ଡ ସୃଷ୍ଟି କରିଛି। ଫଳରେ ନିବେଶକଙ୍କ ୧.୭୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ସେନ୍‌ସେକ୍ସର ୩୧ ମଧ୍ୟରୁ ୨୮ ଶେୟାର ଏବଂ ନିଫ୍ଟିରେ ୫୦ ମଧ୍ୟରୁ ୪୬ ଶେୟାର ବୃଦ୍ଧି ସହ ବନ୍ଦ ହୋଇଛି। ଚତୁର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିବା ବେଳେ ବେକାରି ସମସ୍ୟା ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ସେହିପରି ଘରୋଇ ବଜାରରେ ଗାଡ଼ି ବିକ୍ରି ହ୍ରାସ ପାଉଥିବା ସତ୍ତ୍ୱେ ସେନ୍‌ସେକ୍ସ, ନିଫ୍ଟି ରେକର୍ଡ କରିବା ସମସ୍ତଙ୍କୁ ଚକିତ କରିଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିର ବୈଠକ ସୋମବାରଠାରୁ ବସିଛି। ରେପୋ ରେଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଅର୍ଥନୀତି ଦ୍ରୁତତର ହେବ ବୋଲି ମନେ କରି ନିବେଶକମାନେ ବ୍ୟାପକ ହାରରେ ଶେୟାର କିଣିଥିବା ଦେଖାଯାଇଛି।

Share