ସେନା ଦାନା ଖାଉଛନ୍ତି

ବର୍ତ୍ତମାନର କେନ୍ଦ୍ର ସରକାର ଜାତୀୟ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବଡ଼ ପାଟିରେ କହୁଛନ୍ତି। ବଜେଟ ୨୦୨୦-୨୧ରେ ପ୍ରଯତ୍ନଶୀଳ ସମାଜ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିରେ ଜାତୀୟ ସୁରକ୍ଷା ସରକାରଙ୍କ ଅଗ୍ରାଧିକାର ରହିଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ହେଲେ ୩ ଫେବୃୟାରୀ ୨୦୨୦ରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିବା କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଭାରତୀୟ ସେନାକୁ କିଭଳି ଅଣଦେଖା କରାଯାଉଛି ତାହାର ପ୍ରମାଣ ମିଳିଛି। ହିମାଳୟର ଲଦାଖ ଓ ସିଆଚେନ୍‌ ଗ୍ଲାସିୟର୍‌ର ଉଚ୍ଚତମ ସ୍ଥାନରେ ନିଯୁକ୍ତ ଯବାନମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ଯଥା ଜୋତା, ସ୍ନୋ ଗଗଲ୍ସ, ଶୀତରୁ ରକ୍ଷା ପାଇବା ପାଇଁ ଠିକ୍‌ ପୋଷାକ ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ଏଠାରେ ମନେପଡ଼େ ୨୦୧୭ରେ ଭାରତୀୟ ସୀମା ସୁରକ୍ଷା ବଳର କନ୍‌ଷ୍ଟେବଲ ଥିବା ତେଜ ବାହାଦୁର ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଉଲ୍ଲେଖ କରିଥିଲେ ଯେ, ସେନାର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଦେଉ ନ ଥିଲେ। ନିମ୍ନମାନର ଖାଦ୍ୟ ଦିଆଯିବା ସହ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀକୁ ବିକ୍ରି କରିଦେଉଥିଲେ। ସେତେବେଳେ ବାହାଦୁରଙ୍କ ଦ୍ୱାରା ପୋଷ୍ଟ୍‌ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉପରେ ତଦନ୍ତ କରାଯାଇଥିଲା। ଭାରତ ପାଇଁ ଦୁର୍ଭାଗ୍ୟର ବିଷୟ ଯେ, ଏହି ଅଭିଯୋଗକୁ ଗୁରୁତ୍ୱ ଦିଆଯିବା ପରିବର୍ତ୍ତେ ସମ୍ପୃକ୍ତ ଯବାନଙ୍କୁ ଚାକିରିରୁ ବହିଷ୍କାର କରି ଘଟଣାକୁ ଚାପି ଦିଆଯାଇଥିଲା। ଏବେ ସିଏଜିଙ୍କ ରିପୋର୍ଟ ସେନାରେ ଦେଖାଦେଇଥିବା ବାସ୍ତବ ସ୍ଥିତିକୁ ପଦାକୁ ଆଣିଛିି।
ଗତ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟରେ ଏକ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ବିଗତ ୩ ବର୍ଷରେ ତୁଷାର ସ୍ଖଳନ (ଆଭଲାନ୍‌ଶ) ଯୋଗୁ ୭୪ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଉଚ୍ଚତମ ବରଫାବୃତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବାରୁ ଯବାନମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକୃତରେ ଦେଖିଲେ ଯବାନମାନଙ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଉ ନ ଥିବାରୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ପୂର୍ବରୁ କଫିନ୍‌ କିଣାରେ ଦୁର୍ନୀତିଠାରୁ ଆରମ୍ଭ କରି ଏବେ ସ୍ନୋ ଗଗ୍‌ଲ୍ସ, ପରିବେଶ ଉପଯୋଗୀ ଜୋତା ଓ ଶୀତବସ୍ତ୍ର ଯୋଗାଇ ଦିଆଯାଉ ନ ଥିବାରୁ ଯବାନମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିପାରୁନାହାନ୍ତି। ଏହା ମଧ୍ୟ ଅଭିଯୋଗ ହେଉଛି ଯେ, କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ ଦିଆଯାଉଥିବାରୁ ସେମାନେ ଦୁର୍ବଳ ହୋଇପଡ଼ୁଛନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ସରକାର ଦାୟୀ। ଏଥିସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସେନାରେ ଥିବା ସର୍ବୋଚ୍ଚ ଅଧିକାରୀମାନେ ସିଧାସଳଖ ଉତ୍ତରଦାୟୀ।
ବିପିନ୍‌ ରାଓ୍ବତ୍‌ଙ୍କ ଭଳି ବରିଷ୍ଠ ଅଧିକାରୀଙ୍କୁ ଅବସର ପରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭଳି ପଦବୀ ଯଚାଯାଉଛି। କିନ୍ତୁ ତାଙ୍କୁ କେହି ପ୍ରଶ୍ନ କରିବାକୁ ନାହିଁ ଯେ, ତାଙ୍କର କାର୍ଯ୍ୟକାଳ ସମୟରେ ସେନାରେ ମାନ ପତନ ହେଲା କାହିଁକି। ରାଓ୍ବତ୍‌ଙ୍କ ଭଳି ଲୋକ ରାଜନୈତିକ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି। ମାତ୍ର ସେହି ପଦପଦବୀରେ ଥିବା ବ୍ୟକ୍ତି ଏହି ଦେଶର ବ୍ୟବସ୍ଥା ଅନୁଯାୟୀ ନିର୍ବାଚିତ ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ଅଧିକ କ୍ଷମତାଶାଳୀ। ନିଜ ଦାୟିତ୍ୱ ତୁଲାଇବା ପରିବେର୍ତ୍ତ ଆଜିର କଦର୍ଯ୍ୟ ରାଜନୈତିକ ବାତାବରଣରୁ ଫାଇଦା ଉଠାଇବା ସହଜ ହୋଇପଡ଼ିଛି। ସେନାର ବରିଷ୍ଠ ଅଧିକାରୀମାନେ ତଳିଆ କର୍ମଚାରୀଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖି ଆବଶ୍ୟକ ସୁବିଧା ଯୋଗାଇ ଦେଉ ନ ଥିବାରୁ ଭାରତୀୟ ସେନାର ମନୋବଳ ଭାଙ୍ଗିଯାଉଛି। ସାଧାରଣତଃ ସେନାରେ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଥାଏ। ସେଥିପାଇଁ କିଛି ଅସଙ୍ଗତି ଦେଖାଦେଲେ ମଧ୍ୟ କେହି ପାଟି ଫିଟାଇବାକୁ ସାହସ କରି ନ ଥାଆନ୍ତି। ସେହି ମୌନ ଅବସ୍ଥାର ସୁବିଧା ନେଇ ଉଚ୍ଚ ପାହ୍ୟା ଅଫିସରମାନେ ମାଲାମାଲ ହେଉଛନ୍ତି। ଗୋଟିଏ ପଟେ ଦେଶପ୍ରେମ ନାମରେ ଡେଙ୍ଗୁରା ପିଟାଯାଉଥିବା ବେଳେ ସେନାର ଦାନାରୁ ଚୋରି କରିବାକୁ ପଛାଉ ନ ଥିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସିଏଜି ରିପୋର୍ଟରୁ ବୁଝାପଡ଼ୁଛି।
ଭାରତୀୟ ସେନାର ଢାଞ୍ଚାକୁ ଦେଖିଲେ ଏହା କୌଣସି ଏକ ଆଧୁନିକ ଯୁଦ୍ଧ ଲଢ଼ିବା ପାଇଁ ସକ୍ଷମ ନୁହେଁ। ପାଶ୍ଚାତ୍ୟରେ ଯେଉଁ ଯୁଦ୍ଧାସ୍ତ୍ର ଓ ସାମଗ୍ରୀ ପୁରୁଣା ହୋଇଯାଉଛି, ତାହାକୁ ଗୋଟାଇବାରେ ଭାରତ ସରକାର ଆଗଭର ହେଉଛନ୍ତିି। ରାଫାଲ୍‌ ଯୁଦ୍ଧ ବିମାନ କିଣିବା ଓ ସେଥିରେ ହୋଇଥିବା ଆର୍ଥିକ ହେରଫେର୍‌ ବିଷୟ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ୨୦୧୭ରେ ସିଏଜିଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସେତେବେଳେ ଭାରତ ଯଦି କାହା ସହ ଯୁଦ୍ଧ କରିବସେ, ତେବେ ସେନା ନିକଟରେ ଥିବା ଯୁଦ୍ଧ ସାମଗ୍ରୀ ମାତ୍ର ୧୦ ଦିନ ପରେ ସରିଯିବ। ତେଣୁ ଭାରତ ସରକାର ଏଭଳି ବାସ୍ତବ ଦିଗକୁ ଗୁରୁତ୍ୱ ନ ଦେଇ କେବଳ ଜାତୀୟ ନିରାପତ୍ତା ପାଇଁ ଚିନ୍ତିତ ବୋଲି କହିଚାଲିଲେ ତାହା ମୂଳ ଲକ୍ଷ୍ୟ ପୂରଣ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri