ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ଦମ୍‌ଦାର ଆକ୍ସନ: ଅଭିନେତା ଶେୟାର କଲେ ପାଓ୍ବାର ପ୍ୟାକ୍‌ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଓ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି। ଯେଉଁଠି ଦୁଇଜଣ ମାଷ୍ଟର ଏକାଠି କାମ କରୁଛନ୍ତି ସେଠାରେ ଭରପୁର ଆକ୍ସନ ମିଳିବା ତ ସ୍ବାଭାବିକ କଥା। ଜୁଲାଇ ୧ ତଥା ସୋମବାର ଅକ୍ଷୟ କୁମାର ନିଜ ଟୁଇଟର ଆକାଉଣ୍ଟରେ ତାଙ୍କର ଅପ୍‌ କମିଂ ଫିଲ୍ମ ସୂର୍ଯ୍ୟବଂଶୀର ସେଟ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓ ୫୪ ସେକେଣ୍ଡର ହୋଇଥିବା ବେଳେ ଏହାକୁ ଲକ୍ଷାଧିକ ପ୍ରଶଂସକ ଦେଖିସାରିଲେଣି। ଏହି ଭିଡିଓରେ ଅକ୍ଷୟଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିଛି। ସେ କେତେବେଳେ କାରର ପିଛା କରୁଛନ୍ତି ତ କେତେବେଳେ ହେଲିକ୍ଟେରରେ ଲଟକି ରହିଥିବା ନଜର ଆସିଛନ୍ତି। ଅକ୍ଷୟ ଏହି ପାଓ୍ବାର ପ୍ୟାକ୍‌ ଆକ୍ସନକୁ ଶେୟାର କରିବା ସହ ଲେଖିଛନ୍ତି, ‘ଯେଉଁ ଦିନରୁ ଅଭିନୟ ମୋର ଭାଗ୍ୟ ହୋଇଛି, ସେହି ଦିନରୁ ଆକ୍ସନ ମୋ ପାଇଁ ଲାଇଫଲାଇନ୍‌ ଭଳି ରହିଛି’। ସୂର୍ଯ୍ୟବଂଶୀରେ ବିନା କଟ୍‌ରେ ତାଙ୍କ ଆକ୍ସନକୁ ଦେଖିଲେ ଦର୍ଶକ ଜାଣିପାରିବେ ଏବେ ବି କାହିଁକି ଆକ୍ସନ କରିବା ପାଇଁ ତାଙ୍କ ଭିତରେ ଜୋସ୍‌ ଭରି ରହିଛି। ଏହି ଫିଲ୍ମର ଶୁଟିଂ ଗତ ମେ’ରୁ ଆରମ୍ଭ ହୋଇଥିବା ବେଳେ ଏବେ ବ୍ୟାକଂକରେ ଚାଲୁଥିବା ଜଣାପଡ଼ିଛି। ଏଥିରେ ଅକ୍ଷୟ କୁମାରଙ୍କ ବିପକ୍ଷରେ କ୍ୟାଟରିନା କୈଫ ନଜର ଆସିବେ। ୨୦୨୦ ମାର୍ଚ୍ଚ ୨୭ରେ ଏହି ଫିଲ୍ମ ପରଦାକୁ ଆସିବ।

Share