‘ସୁସ୍ଥ ଜୀବନ ପାଇଁ କ୍ରୀଡ଼ାର ଆବଶ୍ୟକତା ରହିଛି’

ସାକ୍ଷୀଗୋପାଳ,୨୯।୮(ଡି.ଏନ୍‌.ଏ.): ହକି ଖେଳର ଅନ୍ୟତମ ଯାଦୁଗର ତଥା ଜାତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଜନ୍ମତିଥିକୁ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଗୁରୁବାର ପାଳିତ ହୋଇଯାଇଛି। ସୁସ୍ଥ ଜୀବନ ପାଇଁ କ୍ରୀଡ଼ାର ଆବଶ୍ୟକତା ସହିତ ନିୟମିତ ଅଭ୍ୟାସରେ ଜଣେ ସଫଳ କ୍ରୀଡ଼ାବିତ୍‌ ଭାବରେ ନିଜକୁ ଗଢ଼ି ତୋଳିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଶିକ୍ଷକମାନେ ପରାମର୍ଶ ଦେଇଥିଲେ। ବ୍ୟାନର ଓ ପ୍ଲାକାର୍ଡ ଧରି ପିଲାମାନେ ବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଗୁରୁ ଛାତ୍ରୀଛାତ୍ର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶିକ୍ଷକ ମନୋରଞ୍ଜନ ମିଶ୍ର, ସତ୍ୟବାଦୀ ଦାଶ, ବିଜୟ କୁମାର ପରିଡ଼ା, ବସନ୍ତ କୁମାର ସ୍ବାଇଁ, ଉମାକାନ୍ତ ମିଶ୍ର ପ୍ରମୁଖ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କ୍ରୀଡ଼ା ଶିକ୍ଷକ ସୁଚିତ୍ର ଖଟେଇ ଓ ଯୁଧିଷ୍ଠିର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।