ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍‌ର ୧୦ କ୍ୟାମ୍ପ୍‌ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ

ମୁମ୍ବାଇ, ୨୧।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍‌ର ୧୦ ପ୍ରମୁଖ କ୍ୟାମ୍ପ୍‌ କିଏ ହିରୋ ଅବା ଜିରୋ ହେବ ତାହା ସ୍ଥିର କରିଥାନ୍ତି ଏନେଇ ଏବେ ଚର୍ଚ୍ଚା ଜାରି ରହିଛି। ସୁଶାନ୍ତଙ୍କ ଜୀବନରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ତାଙ୍କୁ ବଡ଼ ବ୍ୟାନର ମିଳିବା କଷ୍ଟକର ହୋଇଥିଲା। ତାଙ୍କର ଟ୍ୟାଲେଣ୍ଟକୁ ଅଣଦେଖା କରାଯାଇଥିବା ସମ୍ପର୍କରେ ମଧ୍ୟ କୁହାଯାଉଛି। ବଲିଉଡ୍‌ରେ ବଡ଼ କ୍ୟାମ୍ପ୍‌ ମଧ୍ୟରେ ଆଦିତ୍ୟ ଚୋପ୍ରାଙ୍କ ୟଶରାଜ ଫିଲ୍ମ, କରନ ଜୋହରଙ୍କ ଧର୍ମା ପ୍ରଡକଶନ୍‌, ସାଜିଦ୍‌ ନାଡିୟାଡଓ୍ବାଲାଙ୍କର ନାଡିୟାଡଓ୍ବାଲା ଗ୍ରାଣ୍ଡ ସନ୍ସ୍‌, ଭୂଷଣ କୁମାରଙ୍କର ଟି ସିରିଜ୍‌, ସଞ୍ଜୟ ଲୀଲା ଭଂସାଲୀଙ୍କ ଭଂସାଲୀ ପ୍ରଡକଶନ୍‌, ଆମିର ଖାଁଙ୍କର ଆମିର ଖାଁ ପ୍ରଡକଶନ୍‌, ଶାହରୁଖ ଖାଁ ଏବଂ ଜୁହି ଚାଓ୍ବଲାଙ୍କର ରେଡ୍‌ ଚିଲିଜ୍‌, ସଲମାନ ଖାଁଙ୍କର ସଲମାନ ଖାଁ ଫିଲ୍ମ୍‌, ରୋନି ସ୍କ୍ରୁଓ୍ବାଲାଙ୍କର ୟୁଟିଭି ମୋଶନ ପିକଚର୍‌ ଏବଂ ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ଆଦି ରହିଛି। ଏସବୁ କ୍ୟାମ୍ପ୍‌ ଜିରୋ କୁ ବି ହିରୋ କରିବାର କ୍ଷମତା ରଖିଥାନ୍ତି। ସୁଶାନ୍ତଙ୍କ ଭଳି ଅଭିନେତା ଫିଲ୍ମ ଦୁନିଆରେ ବଡ଼ କ୍ୟାମ୍ପ୍‌ଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ଖବର ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Share