ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯୋଡ଼ା,୫।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା  ସୁଜିତ କୁମାର ପ୍ରଧାନ ଅଭିଯୋଗରେ କହିଛନ୍ତି ଯେ, ସେ ଉକ୍ତ ଖଣିର ଏକ ଠିକାସଂସ୍ଥାର ସୁରକ୍ଷାକର୍ମୀ ଭାବେ ବେଲ୍ଟ ଲାଇନରେ ଶୁକ୍ରବାର କାର୍ଯ୍ୟ କରୁଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସେଠାକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ତାଙ୍କୁ ଲୁହାରଡ଼ରେ ଆକ୍ରମଣ କରିଥିଲେ। ସେମାନଙ୍କୁ ସାମ୍ନା କଲାବେଳେ ଆକ୍ରମଣରେ ସୁଜିତଙ୍କର ଦୁଇ ହାତ ଭାଙ୍ଗିଯାଇଛି। ତାଙ୍କ ସହିତ ଥିବା ଅନ୍ୟ ସୁରକ୍ଷାକର୍ମୀମାନେ ଆକ୍ରମଣବେଳେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ସୁରକ୍ଷାକର୍ମୀଙ୍କ ପେଟ୍ରୋଲିଂ ଗାଡ଼ିରେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।