ସୁବର୍ଣ୍ଣପୁର ଜିଲା ହେଲା କରୋନା ମୁକ୍ତ: ସମସ୍ତ ୨୯ ସଂକ୍ରମିତ ସୁସ୍ଥ

ସୋନପୁର,୧୩।୬(ନି.ପ୍ର.)-ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ଖୁସି ଖବର । ଏହି ଜିଲା କରୋନା ମୁକ୍ତ ହୋଇଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି । ଆଇଟିଆଇସ୍ଥିତ ଜିଲା ଅସ୍ଥାୟୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଶନିବାର ଡିସ୍‌ଚାର୍ଜ ହୋଇଛନ୍ତି । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜିଲାର ସମସ୍ତ ୨୯ ସଂକ୍ରମିତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାରୁ କୋଭିଡ ହସ୍ପିଟାଲର ୨୦୦ ଶଯ୍ୟା ଏବେ ଖାଲି ପଡିଛି ।
ଏହି ଜିଲାରେ ମେ ୨୬ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧରେ ୨୬ ବର୍ଷୀୟ ଯୁବକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଗୋଟିଏ ଦିନ ପରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚତ୍ ଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ସହିତ ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବି ଥିଲେ । ଯାହାକି ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ସମସ୍ତ ଆକ୍ରାନ୍ତ ଜିଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ଖୁସି ଖବର ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲୀପ କୁମାର ପଣ୍ଡା । ଜିଲା କରୋନା ମୁକ୍ତ ହୋଇ ଥିବାରୁ କୋଭିଡ ହସ୍ପିଟାଲର ପ୍ରାଧିକୃତ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବିଶେଷଜ୍ଞ, ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏବେ ଜିଲାବାସୀ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।