ସୁନା ଚେନ୍‌ ଲୁଟେରା ସକ୍ରିୟ: ଗୋଟିଏ ଦିନରେ ଝାମ୍ପିନେଲେ ୨ ସୁନା ଚେନ୍‌

ରାୟଗଡ଼ା ଅଫିସ,୬।୧୨: ରାୟଗଡ଼ା ସହରରେ ସୁନା ଚେନ୍‌ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗୋଟିଏ ଦିନରେ ୨ଟି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ଇନ୍ଦ୍ରାନଗର ୫ମ ଗଳିରେ ବୁଲୁବାଳା ବେହେରା (୫୮) ଘର ସାମ୍ନାରେ ଫୁଲ ତୋଳୁଥିବା ସମୟରେ ହଠାତ୍‌ ୨ ଜଣା ଅଜଣା ବ୍ୟକ୍ତି ଏକ କଳା ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ଯାହା ୩ ଭରି ଓଜନର ହେବ। ଠିକ୍‌ ଏହି ସମୟରେ ନିଉ କଲୋନୀ ୩ୟ ଲାଇନର ସୁଶୀଳା ମହାପାତ୍ର ନିଜ ଘର ସାମ୍ନାରୁ ଫୁଲ ତୋଳିବା ବେଳେ ତାଙ୍କ ବେକରୁ ବି ୩ ଭରି ଓଜନର ଏକ ସୁନା ଚେନ୍‌ ୨ ଜଣା ଅଜଣା ବ୍ୟକ୍ତି ବାଇକରେ ଆସି ଝାମ୍ପି ନେଇଛନ୍ତି। ଉଭୟଙ୍କ ପରିବାର ଲୋକେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।