ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ମା’ଙ୍କ ଅନିନ୍ଦ୍ୟ ସୁନାବେଶ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସାରାଦିନ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଓ ଗହଳଚହଳ ଲାଗି ରହିଥିଲା। ଶାରଦୀୟ ପୂଜା ପାଇଁ ଘଟଗାଁ ପରିବେଶ ଥିଲା ଉତ୍ସବମୁଖର । ମହାନବମୀ ଓ ମହାଦଶମୀରେ ମଧ୍ୟ ମା’ଙ୍କୁ ସୁନାବେଶରେ ପୂଜାର୍ଚ୍ଚନା କରାଯିବ।
ମନ୍ଦିର ପୂଜାନୀତି ଅନୁଯାୟୀ ରବିବାର ଭୋର ୪ଟା ସମୟରେ ମା’ଙ୍କର ମାଜଣା ସରିବା ପରେ ମଙ୍ଗଳ ଆଳତୀ ହୋଇଥିଲା। ଏହାପରେ ମା’ଙ୍କୁ ବଡ଼ ସିଂହାର ବେଶ କରାଯାଇଥିଲା। ଭୋର ୫ଟା ବେଳକୁ ସୁନାବେଶ ହୋଇଥିଲା। ମା’ଙ୍କ ଆସ୍ଥାନରେ ଶୋଭା ପାଇଥିଲା ଚାନ୍ଦି ମେଢ଼। ସୁନାର ମୁକୁଟ, ଚକ୍ଷୁ, ଚିତା, ଜିହ୍ବା, ଅଣ୍ଟାପଟି ସମେତ ସୁନା ଅଳଙ୍କାର ଆଦି ଆଭୂଷଣରେ ଝଲସି ଉଠିଥିଲା ମା’ଙ୍କ ଦିବ୍ୟରୂପ। ଚଣ୍ଡୀପାଠ ଓ ହୋମଯଜ୍ଞ ସାଙ୍ଗକୁ ମହାଷ୍ଟମୀ ଲାଗି ବିଶେଷ ପୂଜାନୀତି ଆୟୋଜିତ ହୋଇଥିଲା। ମନ୍ତ୍ରଧ୍ୱନି ଓ ବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା। ସକାଳ ୬ଟାରେ ଆଳତୀ ହେବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ପହଡ଼ ପଡ଼ିଥିଲା। ସକାଳ ସମୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ମନ୍ଦିର କର୍ମଚାରୀ, ନିରାପତ୍ତାରକ୍ଷୀ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଶୃଙ୍ଖଳା ରକ୍ଷା ସହ ପୂଜା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂ ଏବଂ ଅନ୍ୟ ଟ୍ରଷ୍ଟ ବୋର୍ଡ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ମହାନବମୀ ଓ ଦଶମୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଏଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି।