ସୁଧ ଟଙ୍କା ଆଦାୟକୁ ନେଇ ଯୁବକଙ୍କୁ କଟୁରିରେ ଆକ୍ରମଣ

ବାରଙ୍ଗ,୨୭।୧୨(ଡି.ଏନ୍‌.ଏ.): ସୁଧ ଟଙ୍କା ଆଦାୟକୁ କେନ୍ଦ୍ରକରି ନନ୍ଦନକାନନ ଛକରେ ଗୁରୁବାର ପିଇସୀ ପୁଅ କଟୁରି ଚୋଟରେ ମାମୁ ପୁଅ ଗୁରୁତର ହୋଇଛି। ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଙ୍କୀ ଅଞ୍ଚଳର ବିଭୁରଞ୍ଜନ ସାହୁଙ୍କୁ ଡାକ୍ତରଖାନାକୁ ପଠାଇଥିବାବେଳେ ତାଙ୍କ ପିଇସୀ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୪୨/୧୯)ରୁଜୁ ହୋଇଛି। ସୂଚନା ଅନୁଯାୟୀ, ବାଙ୍କୀ ଅଞ୍ଚଳର ବିଭୁ ପିଇସୀ ଘର ରଘୁନାଥପୁର ଗ୍ରାମରେ ରହିବା ସହ ନନ୍ଦନକାନନ ଛକରେ ଏକ ମୋବାଇଲ ଦୋକାନ ଦେଇଥିଲେ। ପିଇସୀ ପୁଅ ଗୋବିନ୍ଦ ରାଉତ ବୁଧବାର ରାତିରେ ମୋବାଇଲ ଦୋକାନକୁ ଆସି ଧାର ନେଇଥିବା ୨୦ହଜାର ଟଙ୍କାର ସୁଧ ଟଙ୍କା ଦେବାକୁ ବିଭୁଙ୍କୁ କହିଥିଲେ। ପରେ ବିଭୁ ଧୀରେ ଧୀରେ ସୁଧ ଟଙ୍କା ପୈଠ କରିବାକୁ କହିଥିଲେ। ଗୁରୁବାର ସକାଳ ପ୍ରାୟ ୧୦ଟା ରେ ଗୋବିନ୍ଦ ଏକ କଟୁରି ଧରି ନିଶାଶକ୍ତ ଅବସ୍ଥାରେ ବିଭୁଙ୍କ ଦୋକାନରେ ପହଞ୍ଚିବା ସହ ବିଭୁଙ୍କ ମୁଣ୍ଡକୁ କଟୁରିରେ ଆକ୍ରମଣ କରିଥିଲେ। ଖବରପାଇ ପୋଲିସ ପହଞ୍ଚି ବିଭୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ଏହା ପରେ ପୋଲିସ ଗୋବିନ୍ଦଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ୟବହୃତ କଟୁରି ଜବତ କରି ତଦନ୍ତ ଚଳାଇଛି।