ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ‘ବାହା ପର୍ବ’

ସୁନାବେଡା,୯ା୩(ଡି.ଏନ୍‌.ଏ.): ଆଦିବାସୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସୁନାବେଡା ସାହରାଞ୍ଚଳରେ ମହା ଆଡମ୍ବରରେ ବାହା ପର୍ବ ପାଳିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସମସ୍ତ ପରିବାର ସମେତ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ସାନ୍ତାଳୀ ସମ୍ପ୍ରଦାୟର ମହିଳା ଓ ପୁରୁଷ ଯୋଗଦେଇଥିଲେ। ପ୍ରାଚୀନ କାଳରୁ ପ୍ରଚଳିତ ଏହି ପୂଜା ତଥା ଉତ୍ସବରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ଶାଳ ଫୁଲ, ମହୁଲ ଫୁଲ ଆଦିକୁ ବିଭିନ୍ନ ଦେବୀ ଓ ଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଏହାଦ୍ୱାରା ସୁଖ, ଶାନ୍ତି ଓ ଯଶପ୍ରାପ୍ତି ହୋଇଥାଏ ବୋଲି ଏମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ପୂଜା ଶେଷରେ ନାୟକେ ବାବାଙ୍କଠାରୁ ଦେବୀ ଦେବତାଙ୍କ ଠାରେ ଅର୍ପଣ କରାଯାଇଥିବା ଶାଳ ଓ ମହୁଲ ଫୁଲକୁ ଆଶୀର୍ବାଦ ସ୍ବରୂପ ଗ୍ରହଣ କରିଥାନ୍ତି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ହାଲ୍‌ର ଏଜିଏମ ନିରଜ୍‌ ଚନ୍ଦ୍ର ବେହେରା ସ୍ବତନ୍ତ୍ର ପୂଜାରେ ଯୋଗଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ଏହି ଉତ୍ସବରେ ବଳି ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ସୁନାବେଡ଼ାସ୍ଥିତ ଜାହେର୍‌ ଗାଳ ପୂଜା ସ୍ଥଳରେ ବଳିପ୍ରଥା ଉଛେଦ କରାଯାଇଛି। ପୂଜା ପରେ ଏଠାରେ ଭୋଜି ଭାତ ସହ ନାଚ, ଗୀତର ଆସର ଜମିଥାଏ। ଏଥିରେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଜନସାଧାରଣ, ବହୁ ପଦାଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଶୀର୍ବାଦ ସ୍ବରୂପ ମହୁଲ ଓ ଶାଳ ଫୁଲ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଦିଶମ ଜାହେର ଗାଳର ନାୟକେ ବାବା କ୍ଷେତ୍ର ମୋହନ ଟୁଡୁ ପୂଜାର୍ଚ୍ଚନା କାର୍ଯ୍ୟ କରିଥିବାବେଳେ ଜାହେର ଗାଳର ମାଝିବାବା, ଧନୀ ରାମ ହାଁସଦାଙ୍କ ସମେତ ମଦନ ମୋହନ ସୋରେନ, ମୁନ୍ନା ବାସ୍କେ, ରାଜୀବ ହେମ୍ବ୍ରମ, ଉଗ୍ରସେନ ହାଁସଦା, ରାଜୁ ହାଁସଦା, ରାଜେଶ ମୁର୍ମୁ, ଚନ୍ଦ୍ର କୁମାର ମୁର୍ମୁ, ଭାଗିରଥି ହେମ୍ବ୍ରମ, ପି. ବି ସୋରେନ୍‌, ନନ୍ଦ କୁମାର ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆଦିବାସୀ ସାଂସ୍କୃତିକ ଆସୋସିଏଶନର ସଭାପତି ଅନ୍ତୁ ହେମ୍ବ୍ରମ ଧନ୍ୟବାଦ ଦେଇଥିଲେ।