Categories: କୋରାପୁଟ

ସିଲ୍‌ ପଡିଛି, ମଦ କାରବାର ଚାଲିଛି

ଜୟପୁର,୧୪ା୫(ଡି.ଏନ.ଏ )-କୋରାପୁଟ ଜିଲା ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ୧୮ଟି ବିଦେଶୀ ମଦ ଦୋକାନ ରହଛି। ସେଥିରୁ ୧୨ଟି ଠିପିବନ୍ଦ ଦୋକାନ ଏବଂ ୬ଟି ବାର। କାରୋନା ଲକଡାଉନ ଯୋଗୁ ସରକାରଙ୍କ ମଦ ବିକ୍ରି ଉପରେ କଟକଣା ଜାରି କରିଥିଲେ। ଏନେଇ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଅବକାରୀ ବିଭାଗ ଜିଲାର ସମସ୍ତ ବିଦେଶୀ ମଦ ବିକ୍ରି ଦୋକାନକୁ ସିଲ୍‌ କରିଥିଲା। ଜୟପୁର ସହରର ସମସ୍ତ ବାର ଓ ଠିପିବନ୍ଦ ମଦ ବିକ୍ରି ଦୋକାନକୁ ମଧ୍ୟ ତାଲା ପକାଇ କାଗଜଗୁଡାଇ ଜଉମୁଦ ଦେଇ ସିଲ୍‌ କରିଥିଲା। ଏହିପରି ସିଲ୍‌ ହୋଇଛି ଯେ, ଜଉମୁଦ ସିଲ୍‌ ରହିଥିବ ମାତ୍ର ତାଲା ଖୋଲାଯାଇ ଭିତରୁ ମଦ ବାହାର କରି ବିକ୍ରି କରାଯାଇପାରିବ। ଏପରି ଦେଖିବାକୁ ମିଳିଛି ସହରର ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ, କେନାଲ ରୋଡରେ, ଏମ.ଜି ରୋଡ, ମୁଖ୍ୟଡାକଘର ପାର୍ଶ୍ୱର ରାସ୍ତା ଏବଂ କିଛି ବାରରେ ପଡିଥିବା ସିଲ୍‌ରେ। ସିଲ୍‌ ନାମକୁ ମାତ୍ର କରାଯାଇଛି ା ଏପରି ସିଲ୍‌ ହୋଇଛି ଯେ, ତାଲା ଖୋଲିବାରେ କୌଣସି ସମସ୍ୟା ନାହିଁ ା ସିଲ୍‌ ଦୋକାନରୁ ମଦ ବାହାର କରାଯାଇ ବିକ୍ରି କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ ା ଗୁରୁବାର ଏମ.ଜି ରୋଡସ୍ଥିତ ସିଲ୍‌ ହୋଇଥିବା ଏକ ମଦ ଦୋକାନରୁ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା ସାହିବାସିନ୍ଦା ଅଭିଯୋଗ କରିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରିବା ସହିତ ଘଟଣାର ସମାଧାନ କରିଥିଲା। ଅନ୍ୟପକ୍ଷରେ ଲକଡାଉନ ପରେ ଷ୍ଟକ ଯାଞ୍ଚ ବେଳେ ବେଆଇନ କାରବାର ଧରାପଡିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଜିଲା ଅବାକରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କହିଲେ ଯେ, ସିଲ୍‌ ଖୋଲାହୋଇଥିବା ଦୋକାନକୁ ପୁଣି ସିଲ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।