Categories: ଖେଳ

ସିରିଜ୍‌ ପୋଛିଲା ଇଂଲଣ୍ଡ

ଲିଡ୍ସ,୨୦।୫- ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୫୪ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ଏକମାତ୍ର ଟି୨୦ ପରେ ଦିନିକିଆ ସିରିଜ୍‌କୁ ୪-୦ ବ୍ୟବଧାନରେ ପୋଛିନେଇଛି। ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୫୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୨୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଚଳିତ ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ଦଳ ୩୫୦ ରନ୍‌ ପାର କରିଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୩୫୧ ରନ୍‌ କରିଥିଲା। ଦଳ ପାଇଁ ଜୋ ରୁଟ୍‌ ୮୪, ଅଧିନାୟକ ଇଅନ ମୋର୍ଗାନ ୭୬ ଓ ଜୋସ୍‌ ବଟ୍‌ଲର ୩୪ ରନ୍‌ କରିଥିଲେ। ବୋଲିଂରେ ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ୪ ଓ ଇମାଦ ଓ୍ବାସିମ ୩ ଉଇକେଟ ନେଇଥିଲେ। ଜବାବରେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ୯୭ ଓ ବାବର ଆଜମଙ୍କ ୮୦ ରନ୍‌ର ଇନିଂସ୍‌ ସତ୍ତ୍ୱେ ପାକିସ୍ତାନ ୪୬.୫ ଓଭରରେ ୨୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ କ୍ରିସ୍‌ ଓ୍ବକ୍ସ ୫ ଓ ଆଦିଲ ରଶିଦ ୨ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ- ୫୦ ଓଭରରେ ୩୫୧/୯(ରୁଟ୍‌ ୮୪, ମୋର୍ଗାନ ୭୬, ବଟଲର ୩୪, ଆଫ୍ରିଦୀ ୪/୮୨, ଓ୍ବାସିମ ୩/୫୩)।
ପାକିସ୍ତାନ- ୪୬.୫ ଓଭରରେ ୨୯୭/ଅଲଆଉଟ୍‌ (ସର୍ଫରାଜ ୯୭, ବାବର ୮୦, ଓ୍ବକ୍ସ ୫/୫୪, ରଶିଦ ୨/୫୪)।

Share