ସିମେଣ୍ଟ ଉଠି ବାହାରିଛି ଛଡ଼: ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ କାମ ନିମ୍ନମାନର ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଜମନକିରା,୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଳ ଛକ ପିଡବ୍ଲ୍ୟୁଡି ରାସ୍ତାରୁ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପୋଲରେ ଲାଗିଥିବା ଛଡ଼ ବାହାରକୁ ବାହାରିଥିବା ବେଳେ ବିପଦ ଆଶଙ୍କା କରାଯାଉଛି । ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ହରିପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜମନକିରାରୁ ଭୋଜପୁରକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ବଡ଼ମାଲ ଛକରୁ ଗୁଣ୍ଡୁରୁଚୁଆଁ ଗାଁ ପର୍ଯ୍ୟନ୍ତ କୁଚିଣ୍ଡା ଆର୍‌ଡି ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୯ କି.ମି. ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତାରେ ଅନେକ ପୋଲ ନିର୍ମାଣ କରାଯାଇଥିଲା। ତେବେ କେତେକ ପୋଲ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାରୁ ସିମେଣ୍ଟ ଉଠି ଭିତରେ ଲାଗିଥିବା ଛଡ଼ ବାହାରକୁ ବାହାରି ବିପଦ ସୃଷ୍ଟି କରୁଛି।