Categories: ଖେଳ

ସିନିୟର ପୁରୁଷ ହକି କ୍ୟାମ୍ପ୍‌: ଜାତୀୟ ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ, ୧।୯ (ପି.ଟି.)- ଆଗାମୀ ବେଲ୍‌ଜିୟମ ଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ଜାତୀୟ ସିନିୟର ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ୍‌ ସେପ୍ଟେମ୍ବର ୨ରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପରିସରରେ ଆରମ୍ଭ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ଶନିବାର ୩୩ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଡିଫେଣ୍ଡର୍ସ ତଥା ବରିଷ୍ଠ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ୍‌ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଦୀପସାନ ତିର୍କୀ, ମିଡ୍‌ଫିଲ୍ଡର ଆଶିଷ କୁମାର ଟପ୍ନୋ ଓ ଫର୍‌ଓ୍ବାର୍ଡ ଶିଳାନନ୍ଦ ଲାକ୍ରା।
ସପ୍ତାହବ୍ୟାପୀ ହେବାକୁ ଥିବା ଏହି କ୍ୟାମ୍ପ୍‌ ମୁଖ୍ୟ କୋଚ୍‌ ଗ୍ରାହମ୍‌ ରେଡ୍‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ନିକଟରେ ଡିଫେଣ୍ଡର ହର୍‌ମନପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଲିମ୍ପିକ ଟେଷ୍ଟ ଇଭେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। କ୍ୟାମ୍ପରେ ମଧ୍ୟ ଖେଳାଳିମାନେ ସେମାନଙ୍କ ଏହି ପ୍ରଦର୍ଶନ କିଭଳି ବଜାୟ ରଖିବେ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ କୋଚ୍‌ ରେଡ୍‌ କହିଛନ୍ତି। ଏଫ୍‌ଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ସେପ୍ଟେମ୍ବରରେ ହେବାକୁ ଥିବା ବେଲ୍‌ଜିୟମ ଗସ୍ତ ଦଳର ପ୍ରସ୍ତୁତି ପାଇଁ ଭଲ ହେବ ବୋଲି ସେ ଏହି ଅବସରରେ କହିଛନ୍ତି। ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହେବ।
ଭାରତୀୟ ସମ୍ଭାବ୍ୟ ଦଳ: ପି.ଆର୍‌. ଶ୍ରୀଜେଶ, ସୂରଜ କେରକେରା, କ୍ରୀଷ୍ଣା ବାହାଦୂର ପାଠକ (ସମସ୍ତେ ଗୋଲ୍‌କିପର), ହର୍‌ମନପ୍ରୀତ୍‌ ସିଂ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ୍‌ ରୋହିଦାସ, ବରୁଣ କୁମାର, ରୂପିନ୍ଦର ପାଲ୍‌ ସିଂ, ଗୁରିନ୍ଦର ସିଂ, କୋଥାଜିତ୍‌ ସିଂ ଖଡଙ୍ଗବାମ, ନୀଲମ ସଞ୍ଜୀପ ଖେସ୍‌, ଜରମନପ୍ରୀତ୍‌ ସିଂ ଓ ଦୀପସାନ ତିର୍କୀ (ସମସ୍ତେ ଡିଫେଣ୍ଡର୍ସ), ମନ୍‌ପ୍ରୀତ୍‌ ସିଂ, ସୁମିତ୍‌, ନୀଳକାନ୍ତ ଶର୍ମା, ଜସକରନ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସୟଦ ନିୟାଜ ରହିମ, ରାଜକୁମାର ପାଲ୍‌ (ସମସ୍ତେ ମିଡ୍‌ଫିଲ୍ଡର), ମନଦୀପ୍‌ ସିଂ, ଆକାଶଦୀପ୍‌ ସିଂ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ୍‌ ସିଂ, ସିମରନଜିତ୍‌ ସିଂ, ଏସ୍‌.ଭି. ସୁନୀଲ, ଗୁର୍‌ଜାନ୍ତ ସିଂ, ରମନଦୀପ ସିଂ, ଶମଶେର ସିଂ ଓ ଲଳିତ କୁମାର ଉପାଧ୍ୟାୟ (ସମସ୍ତେ ଫର୍‌ଓ୍ବାର୍ଡ)।

Share