Categories: ବାଣିଜ୍ୟ

ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ

ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚ ଭାବେ ବିବେଚିତ କରାଯିବ। କମ୍ପାନୀ ଆଇନରେ ସାମାଜିକ କଲ୍ୟାଣକାରୀ ଖର୍ଚ୍ଚ ଭାବେ ଏହାକୁ ବିଚାର କରାଯିବା ନେଇ ରବିବାର ସରକାର ସ୍ପଷ୍ଟ କରିଛନ୍ତି। କରୋନା ପ୍ରଭାବରେ ଏବେ ସାରା ଦେଶରେ ଏକ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଅସୁବିଧାରେ ଥିବା ଲୋକଙ୍କ ଲାଗି ଅର୍ଥ ଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଥିଲେ। କମ୍ପାନୀ ଆଇନ ଅନ୍ତର୍ଗତ କେତେକ ଶ୍ରେଣୀର ଲାଭକାରି ସଂସ୍ଥା ସେମାନଙ୍କ ୩ ବର୍ଷର ବାର୍ଷିକ ହାରାହାରି ନେଟ ଲାଭର ୨% ସିଏସ୍‌ଆର୍‌ରେ ଖର୍ଚ୍ଚ କରିବାକୁ ନିୟମ ରହିଛି। ପିଏମ୍‌ କେୟାରକୁ ପ୍ରଦାନ କରାଯାଉଥିବା ଅର୍ଥ ସିଏସ୍‌ଆର୍‌ ଖର୍ଚ୍ଚ ଭାବେ ଧରି ନିଆଯିବ ବୋଲି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଏହି ପାଣ୍ଠିର ଅର୍ଥ ବିପତ୍ତି ସମୟରେ ବ୍ୟବହାର ହୋଇ ପାରିବ।

Share