Categories: ଜାତୀୟ

ସିଏବିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ଇଣ୍ଡିଆନ ୟୁନିୟନ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଗୁରୁବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହା ସମାନତା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ଏବଂ ଧର୍ମ ଆଧାରରେ ଗୋଟିଏ ଗୋଷ୍ଠୀର ଶରଣାର୍ଥୀଙ୍କୁ ବିଦା କରିବା ପାଇଁ ଉଦ୍ୟମ ହେଉଛି ବୋଲି ପିଟିଶନ୍‌ରେ କୁହାଯାଇଛି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଶରଣାର୍ଥୀ ଭାବେ ରହିଥିବା ଅଣମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ଅଣାଯାଇଥିବା ବିଲ୍‌କୁ ପାର୍ଲାମେଣ୍ଟ ଅନୁମୋଦନ କରିଥିବାବେଳେ ରାଷ୍ଟ୍ରପତିଙ୍କ ସ୍ବୀକୃତି ଅପେକ୍ଷାରେ ରହିଛି। ଆଇନଜୀବୀ ପଲ୍ଲବୀ ପ୍ରତାପଙ୍କ ଜରିଆରେ ଆଇୟୁଏମ୍‌ଏଲ୍‌ ଏହି ପିଟିଶନ ଦାଏର କରିଛି। ସିଏବି, ବିଦେଶୀ ସଂଶୋଧନ( ନିର୍ଦ୍ଦେଶନାମା), ୨୦୧୫ ଏବଂ ପାସ୍‌ପୋର୍ଟ (ନିୟମାବଳୀ ମଧ୍ୟରେ ପ୍ରବେଶ) ସଂଶୋଧନ ନିୟମାବଳୀ, ୨୦୧୫ର କାର୍ଯ୍ୟକାରିତା ଉପରେ ନିଷେଧାଦେଶ ଲଗାଇବା ପାଇଁ ପିଟିଶନରେ ଅନୁରୋଧ କରାଯାଇଛି।
ଆବେଦନରେ କୁହାଯାଇଛି, ସରକାର ଆଣିଥିବା ସିଏବି ସମ୍ବିଧାନର ମୌଳିକ ଢାଞ୍ଚାର ବିରୋଧୀ। ଏଥିରେ କେବଳ ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନମାନଙ୍କୁ ନାଗରିକତ୍ୱ ଅଧିକାର ମିଳିବାକୁ ଥିବାବେଳେ ମୁସଲମାନଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ପକ୍ଷପାତ କରାଯାଇଛି। କାହାକୁ ନାଗରିକତ୍ୱ ପ୍ରଦାନ କରିବାକୁ ଆବେଦନକାରୀ ବିରୋଧ କରୁନାହାନ୍ତି, ଧର୍ମ ଆଧାରରେ ପକ୍ଷପାତିତା ଓ ଅନୁଚିତ ବର୍ଗୀକରଣକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି।

Share