ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ କରାଯାଇଛି। ଟୁଇଟରରେ ସିଏଏକୁ ନେଇ ସେ ଭୁଲ ତଥ୍ୟ ଦେବା ସହ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ବୋଲି ହିନ୍ଦୁ ସଂଗଠନର ସଂସ୍ଥାପକ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଫଳରେ ଏଥିଯୋଗୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ଫରହାନଙ୍କ ନାଁରେ ସଇଦାବାଦ ଥାନାରେ ଆପରାଧିକ ଷଡଯନ୍ତ୍ରର ମାମଲା ରୁଜୁ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଏହାର ସତ୍ୟତା ନେଇ ପୋଲିସ ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ଡିସେମ୍ବର ୧୯ରେ ମୁମ୍ବାଇର କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ସମସ୍ତଙ୍କୁ ଏକଜୁଟ୍‌ ହେବା ପାଇଁ ସେ ଟୁଇଟରରେ ଆହ୍ବାନ ଦେଇଥିଲେ। ଏହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।

Share