Categories: ଜାତୀୟ

ସିଏଏକୁ ନେଇ ଶିବସେନା ସହ ସାଲିସ ପାଇଁ ଭାଜପା ପ୍ରସ୍ତୁତ

ନାଶିକ,୧୫ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) କାର୍ଯ୍ୟକାରିତାକୁ ନେଇ ଶିବସେନା ଯଦି ସହଯୋଗୀ ଦଳଠାରୁ ସମସ୍ୟାର ସମ୍ମୁଖୀନ ହୁଏ ତେବେ ମହାରାଷ୍ଟ୍ର ଭାଜପା ଉକ୍ତ ଦଳ ସହ ରାଜନୈତିକ ସାଲିସ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛି। ଦେଶ ତଥା ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ସିଏଏ କାର୍ଯ୍ୟକାରିତା ଜରୁରୀ ବୋଲି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ଆଶିଷ ଶେଲାର କହିଛନ୍ତି। ମହାରାଷ୍ଟ୍ର ଓ ଦେଶର ଅନ୍ୟ ଭାଗରେ ଅନେକ ପାକିସ୍ତାନୀ ଓ ବାଂଲାଦେଶୀ ବେଆଇନ ଭାବେ ବସବାସ କରୁଛନ୍ତି। ସେମାନଙ୍କୁ ବିଦା କରିବାକୁ ହେବ। ଏଥିପାଇଁ ସିଏଏ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆହ୍ବାନ ଦେଉଛୁ। ଏଥିରେ ଯଦି ଏନ୍‌ସିପି ଏବଂ କଂଗ୍ରେସ ବାଧା ସୃଷ୍ଟି କରନ୍ତି ତେବେ ମହା ବିକାଶ ଅଘାଡ଼ି ମେଣ୍ଟରୁ ଶିବସେନା ଓହରିଆସିବାକୁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ପ୍ରକାର ବୁଝାମଣା ପାଇଁ ଭାଜପା ପ୍ରସ୍ତୁତ ବୋଲି ଶେଲାର କହିଛନ୍ତି। ସରକାର ଭାଙ୍ଗିଯିବାକୁ ନେଇ ଚିନ୍ତା ନ କରି ସେମାନଙ୍କୁ ପ୍ରକୃତ ଶକ୍ତି ଦେଖାଇବାକୁ ସେ ଶିବସେନାକୁ ପରାମର୍ଶ ଦେଇଛନ୍ତି।

Share