ସାମଗ୍ରୀ ବିକ୍ରି ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୦।୫: ଗତ କିଛି ତ୍ରୈମାସ ଧରି ଘରୋଇ ବଜାରର ଅଭିବୃଦ୍ଧି ନିମ୍ନଗାମୀ ହୋଇଥିବା ବେଳେ କରୋନା ଜନିତ ଲକ୍‌ଡାଉନ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ହୋଇ ରହିଛି। ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ସରକାର କିଛି କିଛି କ୍ଷେତ୍ରରେ କାରବାରକୁ ଅନୁମତି ଦେଇଛନ୍ତି। ହେଲେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ଶିଳ୍ପକୁ ପୁଣି ଥରେ ଛିଡା କରାଇବା ବର୍ତ୍ତମାନ କଷ୍ଟକର ହେଉଛି। ୟୁନିଟଗୁଡିକରେ ସାମାଜିକ ଦୂରତ୍ୱ ନିୟମ ରକ୍ଷା କରି କମ୍‌ ଶ୍ରମ ଶକ୍ତି ସହ କାର୍ଯ୍ୟ ହେଉଛି। କମ୍‌ ସଂଖ୍ୟକ ଲୋକଙ୍କୁ ନେଇ କାମ କରିବା ଅସୁବିଧା ସୃଷ୍ଟି ହେଉଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। ଦେଶର ମୋଟ ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ଯୋଗଦାନ ରଖୁଥିବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଏ)ଗୁଡିକ କଥା ବିଚାର କଲେ ସ୍ଥିତି ପୂରା ବିଗିଡି ଯାଇଛି। ଲକ୍‌ଡାଉନ ଯୋଗୁ ଶିଳ୍ପଗୁଡିକ ଉପରେ ସମସ୍ୟା ମାଡି ପଡିଛି। ଶିଳ୍ପଗୁଡିକ ଉତ୍ପାଦନରେ ସମସ୍ୟା ସାମ୍ନା କରୁଛନ୍ତି। ବଜାର ନ ଥିବାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ବଟା କରିବା ବର୍ତ୍ତମାନ ସେମାନଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି। କାରଣ ବଜାର କେବେ ସୁଧୁରିବ ସେ ନେଇ କିଛି ଠିକ୍‌ ଭାବେ କହି ହେବନି। କିନ୍ତୁ ବଜାରକୁ ନେଇ ଶିଳ୍ପଗୁଡିକ ଆଶାବାଦୀ ଅଛନ୍ତି। ସ୍ଥିତି ସୁଧୁରିବା ନେଇ ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ପ୍ୟାକେଜରେ କିଛି ବିଶେଷ ଘୋଷଣା କରିବେ ବୋଲି ଅଂଶୀଦାରମାନେ ଆଶା ରଖିଥିଲେ। ହେଲେ ସରକାର ନିକଟରେ ଗ୍ରହଣ କରିଥିବା ପଦକ୍ଷେପ ସବୁ ବର୍ଗର ଏମ୍‌ଏସ୍‌ଏମ୍‌ଇ ଗୁଡିକ ଲାଗି ଫଳପ୍ରଦ ହେବ ବୋଲି ସେ ନେଇ ଶିଳ୍ପ ଜଗତ ସନ୍ଦିହାନ ରହିଛି।
ବର୍ତ୍ତମାନର ସଙ୍କଟ ସମୟରେ ସରକାରଙ୍କ ପକ୍ଷରୁ କିଛି ବିଶେଷ ବିଶେଷ ସୁବିଧା ସୁଯୋଗ ମିଳିବ ବୋଲି କ୍ଷୁଦ୍ରଶିଳ୍ପଗୁଡିକ ଆଶାବାନ୍ଧି ରହିଥିଲେ। ହେଲେ ସରକାର ତାଙ୍କ ପ୍ୟାକେଜରେ ଋଣ ନେଇ ଋଣ ଶୁଝିବା ପଦକ୍ଷେପ ଆଣିଲେ। କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ସରକାର ଆଶ୍ୱସ୍ତି ପ୍ୟାକେଜ ଦେବେ ବୋଲି ଆଶା କରାଯାଉଥିଲା। ଏହି ପ୍ୟାକେଜରେ ସରକାରୀ ସବ୍‌ସିଡି, ଋଣ ଉପରେ ସୁଧ ହାର ରିହାତି ଭଳି ଅନ୍ୟ ପଦକ୍ଷେପ ଆସିବ ବୋଲି ଶିଳ୍ପ ଆଶାବାନ ଥିଲା। ହେଲେ ବର୍ତ୍ତମାନ ଶିଳ୍ପଗୁଡିକ ପୂର୍ବଭଳି ସମାନ ସୁଧହାରରେ ଋଣ ନେବେ। ଯଦି ବର୍ତ୍ତମାନ କମ୍‌ ସୁଧହାରରେ କ୍ଷୁଦ୍ର ଶିଳ୍ପଙ୍କୁ ଋଣ ମିଳିଥାନ୍ତା ଏହା ସୁବିଧା ପ୍ରଦାନ କରିଥାନ୍ତା। ବିନା ଗ୍ୟାରେଣ୍ଟିରେ ଯେଉଁ ଋଣ ସରକାର ଘୋଷଣା କରିଛନ୍ତି ତାହା କିଛି ନୂଆ କଥା ନୁହେଁ। ବର୍ତ୍ତମାନ ମଧ୍ୟ ବ୍ୟାଙ୍କଗୁଡିକ ବିନା ଗ୍ୟାରେଣ୍ଟିରେ ଋଣ ଦେଉଛନ୍ତି। ଏହି ନିୟମ ରହିଥିଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ ବେଳକୁ ଏହାକୁ ଅଣ ଦେଖା କରାଯାଉଥିବା ଶିଳ୍ପ ସୂତ୍ରରୁ ଜଣାପଡିଛି। ଏଠାରେ କେବଳ ଗୋଟିଏ କଥା ଭଲ ବୋଲି କୁହାଯାଇ ପାରେ। ପ୍ୟାକେଜରେ ଆସିଥିବା ‘ଫଣ୍ଡସ ଅଫ୍‌ ଫଣ୍ଡସ’ କିଛି ଲାଭ ଦେବ ବୋଲି କୁହାଯାଉଛି। କାରଣ ଭଲ ସ୍ଥିତିରେ ଥିବା କ୍ଷୁଦ୍ରଶିଳ୍ପଗୁଡିକର ସମ୍ପ୍ରସାରଣ ଏବଂ ଆଧୁନିକିକରଣ ଦିଗରେ ଏହା ସହାୟକ ହେବ। ଏହା ମଧ୍ୟ ଋଣ ଆକାରରେ ମିଳିବ। ଏଥିରେ ମଧ୍ୟ ପ୍ରୋତ୍ସାହନ କ’ଣ ରହିଛି ବୋଲି ଶିଳ୍ପପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦ୍ୟୋଗୀଙ୍କୁ ବ୍ୟାଙ୍କ ସୁଧ ଖାଇ ଯାଉଥିବା ବେଳେ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ରିହାତି ହାରରେ ସୁଧ ପାଇବା ଆଶା ମଧ୍ୟ ମଉଳିଗଲା। ଭାୟାବିଲିଟି ପାଣ୍ଠି ବ୍ୟବସ୍ଥା ନେଇ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି କୁହାଯାଉଥିଲା। ହେଲେ ସେଭଳି କିଛି ହେଲା ନାହିଁ। ସରକାର କର୍ପୋରେଟ ସୁଧ ବେପାରୀ ଭଳି କାମ କରୁଥିବାରୁ ଶିଳ୍ପ ଅଂଶୀଦାରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ବର୍ତ୍ତମାନର ପଦକ୍ଷେପ କେବଳ ପ୍ରତିଷ୍ଠିତ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସହାୟକ ହେବ ବୋଲି କୁହାଯାଉଛି। ବଜାରରେ ଏବେ ଖାଦ୍ୟ ସାମଗ୍ରୀ ଏବଂ ମେଡିସିନ ବାଦ ଅନ୍ୟ ବର୍ଗରେ ଏମ୍‌ଏସ୍‌ଏମ୍‌ଇଗୁଡିକର କାରବାର ପ୍ରାୟତଃ ନାହିଁ। ସାମଗ୍ରୀ ଉତ୍ପାଦନ କରିଲେ ମଧ୍ୟ ଏହାକୁ ବିକ୍ରି କରିବା ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ ରହିଛି। ଏଭଳି ସ୍ଥିତିରେ ଋଣ ଘୋଷଣା କଲେ ମଧ୍ୟ କ୍ଷୁଦ୍ର ଶିଳ୍ପ କିଭଳି ଋଣ ଆଣିବ। କାରଣ ବାଣିଜ୍ୟ କାରବାର ବଢାଇବା ଏବେ ଯୋଜନା ନାହିଁ। ନିବେଶ ଯୋଜନା ନେଇ ଚିନ୍ତା କରିବା ଆଗରୁ ଅନେକ ପ୍ରସଙ୍ଗକୁ କ୍ଷୁଦ୍ର ଶିଳ୍ପ ବିଚାର କରୁଛନ୍ତି। କାରଣ ସାମଗ୍ରୀ ଉତ୍ପାଦନ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଏହବାଦ ସାମଗ୍ରୀ ବିକ୍ରିରେ ଅସୁବିଧା, କାରବାର ନ ହେଲେ ଋଣ ପଇଠ ଭଳି ସମସ୍ୟା କମ୍ପାନୀଙ୍କୁ ମାଡି ପଡୁଛି। ଦେବାଳିଆ ହେଲେ ମଧ୍ୟ କମ୍ପାନୀଗୁଡିକ ଉଠାଇବା ଲାଗି ସେମିତି କିଛି ଠୋସ ପଦକ୍ଷେପ ନାହିଁ। ଏଣୁ ଏଭଳି ସମୟରେ ଋଣ ଆଣି କାରବାର କରିବାକୁ କ୍ଷୁଦ୍ର ବ୍ୟବସାୟୀମାନେ ଡରୁଛନ୍ତି।
ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଶିଳ୍ପ ସଂଘ ଓସମେର ମହାସଚିବ ସାତ୍ୱିକ ସ୍ବାଇଁ କହିଛନ୍ତି, କ୍ଷୁଦ୍ର ଶିଳ୍ପ ଲାଗି ପ୍ୟାକେଜରେ ସରକାର ବିଶେଷ କିଛି ପଦକ୍ଷେପ ଆଣିଲେ ନାହିଁ। ଯାହା ବି ଆସିଲା ସବୁ ବର୍ଗର ଏମ୍‌ଏସ୍‌ଏମ୍‌ଇ ଏହା ଦ୍ୱାରା ଲାଭବାନ ହେବେ ନାହିଁ। ସରକାରଙ୍କ ପ୍ୟାକେଜରେ ସମସ୍ତେ ଋଣ ପାଇଯିବେ ବୋଲି ଲୋକେ ବିଚାର କରୁଛନ୍ତି। ମାତ୍ର ଏହା ପ୍ରକୃତ ପକ୍ଷେ ଠିକ୍‌ ନୁହେଁ। ଭଲ ଭାବେ ଚାଲୁଥିବା କ୍ଷୁଦ୍ର ଶିଳ୍ପଗୁଡିକୁ ହିଁ ଋଣ ମିଳିବ। ନୂଆ ମାନଙ୍କ ପାଇଁ କିଛି ଲାଭ ଏଥିରେ ନାହିଁ। ସରକାରଙ୍କ ଘୋଷଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏ କିଛି ଗାଇଡଲାଇନ ଆସିନାହିଁ। କ୍ଷୁଦ୍ର ଶିଳ୍ପଗୁଡିକ ସମସ୍ୟାରେ ଅଛନ୍ତି। ଅନେକ କ୍ଷୁଦ୍ରଶିଳ୍ପ ଉତ୍ପାଦନ ଆରମ୍ଭ କରି ନାହାନ୍ତି। ଲୋକମାନେ ଏବେ ନଗଦ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି। ଯାହାର ପ୍ରଭାବ ବଜାର ଉପରେ ରହିଛି। ମାନ୍ଦାବସ୍ଥା, ଦେଶର କର୍ପୋରେଟ କ୍ଷେତ୍ର ସମସ୍ୟା, ଆଇଟି, ଟେଲିକମ ସହ ଅନ୍ୟ ସବୁ କ୍ଷେତ୍ର ପ୍ରଭାବିତ ହୋଇ ରହିଛି। ଏହାର ଚାପ ସମଗ୍ର ବଜାର ଉପରେ ପଡିଛି। ବଜାର ସ୍ଥିତି ଭଲ ନ ଥିବାରୁ ଏମ୍‌ଏସ୍‌ଏମ୍‌ଇ ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ସରକାର ବଜାରରେ ଚାହିଦା ଫେରାଇ ଆଣିବା ଲାଗି ଲୋକଙ୍କ ନିକଟରୁ କିଭଳି ଅଧିକ ଅର୍ଥ ଆସି ପାରିବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।
ସେ କହିଛନ୍ତି ପୁଣି ଯେ, ସରକାର କ୍ଷୁଦ୍ର ଶିଳ୍ପକୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରିବା ଉଚିଚ। କେନ୍ଦ୍ର ସରକାରଙ୍କ ଘୋଷଣାକୁ ନେଇ ବେଶି କିଛି ଆଶା ନାହିଁ। ରାଜ୍ୟ ସରକାରଙ୍କ ଉପରେ ବହୁତ ବଡ ଆଶା ରହିଛି। ଏମ୍‌ଏସ୍‌ଏମ୍‌ଇକୁ ପୁନରୁଦ୍ଧାର କରିବା ଲାଗି ରାଜ୍ୟ ସରକାର ଏକ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଏହାର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ ହୋଇଛନ୍ତି। ୮୦% ୟୁନିଟ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ବିଦ୍ୟୁତ ଦେୟ କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ସମସ୍ୟା ରହିଛି ତାହାକୁ ସରକାର ବିଚାର କରନ୍ତୁ।
ଆସୋସିଏଏଶନ ଅଫ୍‌ ଇଣ୍ଡଷ୍ଟ୍ର୍ରିଆଲ ଏଣ୍ଟରପ୍ରିନ୍ୟୋର ଅଫ୍‌ ଭୁବନେଶ୍ୱର (ଏଆଇବିଏ)ର ସଭାପତି ବିଦ୍ୟୁତ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାର ଶିଳ୍ପଗୁଡିକୁ ସହାୟତା ଦେବା ପରିବର୍ତ୍ତେ ଲୋନ ମେଳା କରିଲେ। ମୋରାଟୋରିୟମ ଦିଆଗଲେ ମଧ୍ୟ ସୁଧ ରିହାତି ମିଳିଲା ନାହିଁ। ଯେତିକି ଆଶା ଥିଲା ସରକାର ପ୍ରଦାନ କରିଲେ ନାହିଁ। ସରକାରଙ୍କ ଉପରେ ଲୋକମାନଙ୍କର ବୃହତ୍ତ ପରିମାଣର ରିଫଣ୍ଡ ରହିଛି। ହେଲେ ସରକାର ବର୍ତ୍ତମାନ ପ୍ରଦାନ କରିଥିବା ପ୍ୟାକେଜରେ ଦେଇଥିବା ରିଫଣ୍ଡକୁ ଷ୍ଟିମୁଲସ ବୋଲି ବିଚାର କରିଛନ୍ତି। ବର୍ତ୍ତମାନ କ୍ଷୁଦ୍ର ଶିଳ୍ପ ଏକ ଅସୁବିଧା ସମୟ ଦେଇ ଗତି କରୁଥିବା ବେଳେ ସରକାର କିଛି କରିବେ ବୋଲି ଭାବୁ ଥିଲୁ, ହେଲେ ଯାହା ଘୋଷଣା ହେଲା ତାହା ଆମ ପାଇଁ ବିଶେଷ ଲାଭ ଦାୟକ ହେବ ବୋଲି ଆଶା ନାହିଁ।ବଜାରରେ ଏବେ ଡିମାଣ୍ଡ ନାହିଁ। ଏ ଦିଗରେ ପଦକ୍ଷେପ ନିଆଗଲେ କ୍ଷୁଦ୍ର ଶିଳ୍ପଗୁଡିକ ଏହା ଦ୍ୱାରା ସୁବିଧା ପାଇବେ। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡିକ କଥା ବୁଝିବାରେ ରାଜ୍ୟଗୁଡିକ ଭଲ ଭାବେ କାମ କରିପାରିବେ। ଏଣୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଯୋଗାଣ ଦିଗରେ କାମ କରନ୍ତୁ।
ୟୁନିଭର୍ସାଲ ସ୍ପାଇସେସ ଆଣ୍ଡ ପଲସେସ୍‌ ଲିମିଟେଡର ସ୍ବତ୍ୱାଧିକାରୀ ଜ୍ୟୋତିର୍ମୟୀ ମହାନ୍ତି କହିଛନ୍ତି ଯେ, ଶ୍ରମିକ କ୍ଷମତା କମିବା ଯୋଗୁ ଏବେ ଉତ୍ପାଦନ ପ୍ରଭାବିତ ରହିଛି। ଚାହିଦା ପୂରଣ କରିବା ଲାଗି କଞ୍ଚାମାଲ ମିଳିବା ସମସ୍ୟା ଉପୁଜୁଛି। କାରଣ ସାରା ଦେଶରେ ଲକ୍‌ଡାଉନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନ ଥିବାରୁ କଞ୍ଚାମାଲ ଆସିବା ଅସୁବିଧା ରହିଛି। କଞ୍ଚାମାଲ ମୂଲ୍ୟ ମଧ୍ୟ ବଢିଛି। ଲଜିଷ୍ଟିକ ଖର୍ଚ୍ଚ ବଢିବା, ଶ୍ରମିକ ନ ଥିବାରୁ ଲୋଡିଂ ଅନଲୋଡିଂ ଚାର୍ଜ ପ୍ରାୟ ୨ରୁ ୩ ଗୁଣ ବଢିଛି। ପରିବହନ ବି ଖର୍ଚ୍ଚ ବଢିଛି। ସାମଗ୍ରୀ ଉତ୍ପାଦନ କରିଲେ ମଧ୍ୟ ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ୧୨ ଘଣ୍ଟା କାମ କରିବା ଲାଗି ଲୋକ ରାଜି ହେଉ ନାହାନ୍ତି। ୩୦ରୁ ୪୦% କର୍ମଚାରୀଙ୍କୁ ନେଇ କାମ କରିବା ସମସ୍ୟା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri