ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ ବହୁ ବିକଶିତ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ନେଇ ମାନବ ସମାଜ ସଚେତନ ହେବାର ସମୟ ଆସିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଭେଟେରେନାରୀ ସ୍କୁଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମଣିଷ ନିଜ ସୁବିଧା ସୁଯୋଗ ପାଇଁ ପୃଥିବୀର ଅନ୍ୟ ପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନରେ ପରିବର୍ତ୍ତନ ଆଣିଛି। ଏହାର ଫଳ ସ୍ବରୂପ ଏବେ କରୋନା ଭଳି ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ହୁଏତ ଆଗାମୀ ଦିନରେ ଏହାଠାରୁ ଅଧିକ ଭୟଙ୍କର ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା କ୍ରିଷ୍ଟିନ୍‌ ଜନସନ୍‌ କହିଛନ୍ତି। ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କୁ ଧରି ମଣିଷ ମାଂସ ଖାଇବା ଦ୍ୱାରା ଧିରେଧିରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାଯୋଗୁ ପ୍ରାକୃତିକ ପରିବେଶ ପ୍ରଭାବିତ ହେଉଛି। ସେହିପରି କେତେକ ପ୍ରାଣୀଙ୍କୁ ହତ୍ୟା କରି ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଚୋରାଚାଲାଣ କରାଯାଉଛି। ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ପରିବେଶକୁ ନଷ୍ଟ କରୁଛି। ପରିବେଶରେ ସନ୍ତୁଳନ ଆଣିବା ପାଇଁ ହୁଏତ ମଣିଷ ପାଇଁ ଆମିଷ ଖାଦ୍ୟ ଭକ୍ଷଣ କରିବା ବର୍ଜନ କରିବାକୁ ପଡ଼ିପାରେ ବୋଲି କ୍ରିଷ୍ଟିନ୍‌ ମତପୋଷଣ କରିଛନ୍ତି। କାରଣ କରୋନା ଭଳି ସଂକ୍ରମଣ ପ୍ରାଣୀଠାରୁ ମଣିଷକୁ ଆସିଥାଏ। ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ବାଦୁଡ଼ିଠାରେ କରୋନା ଭୂତାଣୁ ରହିଛି। ତେବେ ଏହା ସିଧା ସଳଖ ମଣିଷ ପାଖକୁ ଆସି ନାହିଁ। ଏଥିପାଇଁ ବଜ୍ରକାପ୍ତା ମାଧ୍ୟମ ପାଲଟି ଥିବାର ଅନୁମାନ କରାଯାଉଛି। ଚାଇନାରେ ବଜ୍ରକାପ୍ତା ଶରୀର ବିଭିନ୍ନ ଅଙ୍ଗକୁ ନାନା ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ସେହିପରି ପ୍ରାଣୀଙ୍କଠାରେ ଥିବା ବହୁ ସଂକ୍ରମଣ ମାଂସ ଭକ୍ଷଣ ଦ୍ୱାରା ମଣିଷ ଶରୀରକୁ ଆସିଥାଏ। ତେଣୁ ଏଭଳି ସଂକ୍ରମଣରୁ ଦୂରେଇ ରହିବା ପାଇଁ ମଣିଷକୁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share