ସାପ କାମୁଡ଼ାରେ ଭଉଣୀଭାଇଙ୍କ ମୃତ୍ୟୁ

ସୁନ୍ଦରଗଡ଼, ୧୨।୮ (ଡି.ଏନ.ଏ.) -ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସବ୍‌ଡେଗା ବ୍ଲକ ସୁବଲିୟା ନବରଙ୍ଗପୁର ବସ୍ତିରେ ସାପ କାମୁଡାରେ ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବର୍ଷା ଦଣ୍ଡସେନା (୧୩) ଓ ଅବିନାଶ ଦଣ୍ଡସେନା (୮)। ରବିବାର ରାତିରେ ଉଭୟ ଗୋଟିଏ ଖଟରେ ଶୋଇଥିଲେ। କୌଣସି ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡି ଦେଇଥିଲା। ସକାଳେ ଉଠିଲା ବେଳେ ଉଭୟ ବାଉଳି ହେବାରୁ ଭଉଣୀଭାଇଙ୍କୁ ପରିବାର ଲୋକେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ କୌଣସି ଡାକ୍ତର ନ ଥିଲେ। ରାତିରେ ଡ୍ୟୁଟିରେ ଥିବା ଜରୁରୀକାଳୀନ ଡାକ୍ତର ଘରକୁ ଚାଲି ଯାଇଥିବା ଯୋଗୁ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ୮ଟାବେଳେ ଆଉଟଡୋରକୁ ଡାକ୍ତର ଆସିଲେ ଦେଖାଇବାକୁ କହିଥିଲେ। ଏହି ସମୟ ମଧ୍ୟରେ ଭଉଣୀଭାଇଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ୮ଟାରେ ଡାକ୍ତରଙ୍କୁ ଦେଖାଇବା ପରେ ଉଭୟଙ୍କୁ ଗୋଟିଏ ଲେଖାଏଁ ସାଲାଇନ୍‌ ଦେଇ ପ୍ରଥମେ ବର୍ଷାଙ୍କୁ ବୁର୍ଲା ଡାକ୍ତରଖାନା ପଠାଇଥିଲେ। ବୁର୍ଲା ଡାକ୍ତରଖାନା ନେବା ବାଟରେ ସୋମବାର ଦିନ ପ୍ରାୟ ୧୧ଟା ବେଳେ ବର୍ଷାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ଅବିନାଶଙ୍କୁ ମଧ୍ୟ ଡାକ୍ତର ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ। ଅବିନାଶକୁ ପରିବାର ଲୋକେ ରାଉରକେଲା ଆଇଜିଏଚ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଲୋକେ ଭଉଣୀଭାଇଙ୍କ ମୃତଦେହ ଧରି ସୁନ୍ଦରଗଡ ଡାକ୍ତରଖାନା ପହଞ୍ଚିଥିଲେ। ଠିକ୍‌ ସମୟରେ ଚିକିତ୍ସା ହୋଇଥିଲେ ପୁଅଝିଅଙ୍କ ଜୀବନ ବଞ୍ଚିିଯାଇଥାଆନ୍ତା ବୋଲି ତାଙ୍କର ମାଆ ଜୁଲି ଓ ବାପା ପ୍ରଦୀପ୍ତ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ପ୍ରଦୀପ୍ତଙ୍କ ୩ ଝିଅପୁଅ ମଧ୍ୟରୁ ଅନ୍ୟ ଜଣେ ଝିଅ କ୍ରିଷ୍ଣା ଅଲଗା ଶୋଇଥିବାରୁ ବର୍ତ୍ତି ଯାଇଛନ୍ତି। ମୃତ ବର୍ଷା ସୁନ୍ଦରଗଡ ରାଣୀବଗିଚାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ। ଅବିନାଶ ତାଙ୍କ ଗ୍ରାମ ନବରଙ୍ଗପୁର ବସ୍ତିର ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀର ଛାତ୍ର ଥିଲେ। ସଦର ଥାନା ପୋଲିସ ଭଉଣୀଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ସକାଶେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।