ସାନିଟାଇଜର ତିଆରି କଲା ପ୍ରଶାସନ

ସମ୍ବଲପୁର,୧୦ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ତଥାପି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୂତାଣୁରୁ ସୁରକ୍ଷା ପାଇବା ପାଇଁ ସାନିଟାଇଜରର ଆବଶ୍ୟକତା ରହିଛି । ତେଣୁ ସରକାର ପ୍ରତ୍ୟକ ଜିଲା ପ୍ରଶାସନକୁ ଜିଲାରେ ସାନିଟାଇଜର ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଜିଲା ପ୍ରଶାସନ ସଦର ଥାନା ଅଧୀନ ଜୟନ୍ତପୁରରେ ଥିବା ହାଇଟେକ ବଟଲିଂ ପ୍ଲାଣ୍ଟରେ ସାନିଟାଇଜର ତିଆରି କରୁଛି । ଅବକାରୀ ବିଭାଗ ପକ୍ଷରୁ ଏହାର ପରିଚାଳନ କରାଯାଇଛି। ଏ ପର୍ଯ୍ୟନ୍ତ ଏଠାରୁ ୫ ହଜାର ଲିଟର ସାନିଟାଇଜର ଜିଲା ମୁଖ୍ୟ ଚିକତ୍ସାଳୟକୁ ଯୋଗାଇ ଦିଆଯାଇଛି । ଆଉ ୫ ହଜାର ଲିଟର ଯୋଗାଇ ଦିଆଯିବ । ସେହିପରି ବିଭିନ୍ନ ସରକାରୀ ଅଫିସ, ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯୋଗାଇ ଦିଆଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସତ୍ୟନାରାୟଣ ମଲ୍ଲିକ କହିଛନ୍ତି। ତେବେ ବଜାରରେ ଏହା ବିକ୍ରି କରାଯିବ ନାହିଁ। ତେଣୁ ଏହାର ଦର ରଖା ଯାଇନାହିଁ। ନିଜେ ତିଆରି କଲେ ବଜାରରେ ମିଳୁଥିବା ସାନିଟାିଜର ତୁଳନାରେ ବହୁତ କମ୍‌ ଖର୍ଚ୍ଚ ହେବ। ଏଥିରେ ସରକାରଙ୍କ ରାଜସ୍ବ ମଧ୍ୟ ବେଶୀ କ୍ଷତି ହେବ ନାହିଁ । ଅନ୍ୟପକ୍ଷେ ସ୍ଥାନୀୟ ୧୫ ଜଣ ଶ୍ରମିକ ଏଠାରେ କାମ କରୁଛନ୍ତି । ପ୍ଳାଣ୍ଟକୁ ସାନିଟାଇଜ କରିବା ସହ ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖି କାମ କରାଯାଉଛି ବୋଲି ସେ କହିଛନ୍ତି।