Categories: ଜାତୀୟ

ସାନିଟାଇଜର୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ତିଆରି କରୁଥିବା ଏହି ଫାକ୍ଟ୍ରିକୁ କାର୍ଯ୍ୟ ଜାରି ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ସୋମବାର ଉକ୍ତ କମ୍ପାନୀରେ ୬୬ଜଣ କର୍ମଚାରୀ କାମ କରୁଥିବା ବେଳେ ସକାଳ ସାଢ଼େ ୧୧ଟାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଧିରେ ଧିରେ ଏହି ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତିକିବେଳକୁ ଏହି ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିିସ ଅଧିକାରୀ କହିଛନ୍ତି।

Share