ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା ହୋଇଛି। ଯେ କାୈଣସି ସମୟରେ ଡାକ୍ତରଖାନା ଯିବାକୁ ଅନୁମତି ରହିଛି। ପ୍ରେସକ୍ରିପଶନ ଦେଖି ପୋଲିସ ଏହି ଅନୁମତି ଦେଉଛି। ଏହାର ସୁଯୋଗ ନେଇ କେତେଜଣ ପ୍ରେସକ୍ରିପଶନ ଯୋଗାଡ଼ କରି ବାହାରେ ବୁଲୁଥିବା ଅଭିଯୋଗ ହୋଇଛି। ଲକଡ଼ାଉନ ଲାଗୁ କରାଯିବାଠାରୁ ହିଞ୍ଜିଳିିକାଟୁ ଡାକ୍ତରଖାନାକୁ ସାଧାରଣ ରୋଗ ପାଇଁ ବି ବହୁ ସଂଖକ ଲୋକ ଆସିବା ଘଟଣାରୁ ଏହା ସ୍ପଷ୍ଟ ହେଉଛି। ଏହାଦ୍ୱାରା ସାମାଜିକ ଦୂରତ୍ୱ ରକ୍ଷା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଡାକ୍ତରଖାନା ବାହନାରେ ଗ୍ରାମାଞ୍ଚଳରୁ ଲୋକେ ଅଟୋ, କାର ,ବାଇକ ଆଦିରେ ଚଳପ୍ରଚଳ କରୁଛନ୍ତି। ଏପରି ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି। ହିଞ୍ଜିଳିକାଟୁ ତହସିଲଦାର ତଥା କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପାୈର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଓ ଥାନା ଆଇଆଇସି ଅଭିମନ୍ୟୁ ଦାଶ ଓ ଅନ୍ୟ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଠାରୁ ସାଧାରଣ ରୋଗ ପାଇଁ ଲୋକଙ୍କୁ ଡ଼ାକ୍ତରଖାନା ପ୍ରବେଶକୁ ବାରଣ କରାଯିବ ବୋଲି ତହସିଲଦାର କହିଛନ୍ତି। ଲୋକେ ପ୍ରଥମେ ରୋଗ ନେଇ ନିଜ ଅଞ୍ଚଳର ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ବିନା କାରଣରେ ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।