Categories: ବାଣିଜ୍ୟ

ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ ଏହି ସମୟରେ ଉଚ୍ଚରେ ରହିଥିଲେ ମଧ୍ୟ ମାନୁଫାକ୍‌ଚରିଂ ଗୁଡ୍‌ସ ମୂଲ୍ୟ ହ୍ରାସ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। ଏହା ପୂର୍ବରୁ ୨୦୧୬ ଜୁନରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି(ଡବ୍ଲ୍ୟୁପିଆଇ) ୦.୧% ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଡବ୍ଲ୍ୟୁପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ୦.୩୩% ସ୍ତରରେ ରହିଥିଲା। ୨୦୧୮ ଅକ୍ଟୋବରରେ ଏହା ୫.୫୪% ସ୍ତରରେ ଥିଲା। ଅକ୍ଟୋବରରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୂଲ୍ୟବୃଦ୍ଧି ୯.୮୦% ରହିଛି। ସେହିଭଳି ଅଣଖାଦ୍ୟ ସାମଗ୍ରୀ ବର୍ଗରେ ଏହା ୨.୩୫% ସ୍ତରରେ ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଦ୍ୟତମ ଡାଟାରୁ ସାମ୍ନାକୁ ଆସିଛି। ଏହି ସମୟରେ ଆଳୁର ପାଇକାରୀ ମୂଲ୍ୟ ନକରାତ୍ମକ ସ୍ଥିତିରେ ରହି ୧୯.୬୦% ସ୍ତର ଛୁଇଁଛି। ଯାହା ସେପ୍ଟେମ୍ବରରେ -୨୨.୫୦% ଥିଲା। ସେହିଭଳି ଅକ୍ଟୋବରରେ ପନିପରିବା ଦରଦାମ ୩୮.୯୧% ବଢିଛି। ଏହା ଗତ ବର୍ଷ ସମାନ ମାସରେ ୧୯.୪୩% ସ୍ତରରେ ଥିଲା। ଡାଲି କ୍ଷେତ୍ରରେ ଏହା ୧୬.୫୭%, ଫଳରେ ୨.୭୨%, ମାନୁଫାକ୍‌ଚର ପ୍ରଡକ୍ଟ ବର୍ଗରେ -୦.୮୦% ରହିଛି। ଏହାବାଦ ଇନ୍ଧନ ଏବଂ ଲାଇଟ କ୍ଷେତ୍ରରେ ଏହା -୮.୨୭% ସ୍ତରକୁ ଖସିଛି। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୬ ମାସର ସର୍ବୋଚ୍ଚ ସ୍ତର ୪.୬୨% ସ୍ତରକୁ ବଢିଥିବା ଜଣାପଡିଛି।

Share