ସାକ୍ଷୀଗୋପାଳ ଠାକୁରଙ୍କ ଘୋଡ଼ଲାଗି ବେଶ

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ଶୀତ ଆସିଛି। ଠାକୁର ଶୀତ ଦାଉରୁ ରକ୍ଷା ପାଇବାକୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଛି। ଏହି ଅବସରରେ ଠାକୁରଙ୍କ ପାରମ୍ପରିକ ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥିଲା। ଦୈନଦିନ ଦେବନୀତି ସହିତ ଦ୍ୱିପ୍ରହର ଧୂପ ସମୟରେ ଛତିତ୍ରାସ, କାହାଳୀ, ଘଣ୍ଟ, ତେଲିଙ୍ଗୀବାଦ୍ୟ ସହିତ ନୂତନ ଘୋଡ଼ ବେଢ଼ା ପରିକ୍ରମା କରାଯାଇଥିଲା। ଯାତଭୋଗ, ଉପଚାର ଓ ଆଳତି କରାଯିବା ପରେ ଶୀତ ଯୋଗୁ ରେଶମ କପଡ଼ାରେ ପ୍ରସ୍ତୁତ ନୂଆଘୋଡ଼ (ଚାଦର) ଠାକୁରଙ୍କ ସର୍ବାଙ୍ଗ ଶରୀରରେ ଢ଼ାଙ୍କି ଦିଆଯାଇଥିଲା। ମସ୍ତକରେ ମୁଣ୍ଡଘୋଡ଼ (ମଫଲର) ବାନ୍ଧି ଦିଆଯାଇଥିଲା। ଅନୁରୂପ ଭାବେ ଶ୍ରୀରାଧାଙ୍କୁ ରେଶମ ଘୋଡ଼ରେ ଆଚ୍ଛାଦିତ କରାଯାଇଥିଲା। ମନ୍ଦିର ବେଢ଼ାରେ ଥିବା ଅନ୍ୟ ଠାକୁରଙ୍କ ମଧ୍ୟରେ ମଦନମୋହନ, ଗୋପୀନାଥ, ଗଣେଶ, ମହାବୀର, ନୃସିଂହ, ବଳିବାମନ, ଶୂକର, ନବଗ୍ରହ, ଲକ୍ଷ୍ମୀ, ସରସ୍ବତୀ, ଶ୍ରୀରାମ, ଲକ୍ଷ୍ମଣ, ସୀତା, ଗରୁଡ଼, ପତିତପାବନ ଓ ଅଲଗଡ଼ ମହାବୀରଙ୍କୁ ଘୋଡ଼ଲାଗି କରାଯାଇଛି। ମନ୍ଦିର ଦର୍ଜି ସେବକ ସତ୍ୟବାଦୀ ମହାପାତ୍ର ଏଥିପାଇଁ ୨୨ ଘୋଡ଼ ପ୍ରସ୍ତୁତ କରିଥିଲେ। ବେଶ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଗାମୀ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତିଦିନ ଏହି ବେଶ ଅନୁଷ୍ଠିତ ହେବ। ଏହି ସମୟରେ ଠାକୁରଙ୍କ କେବଳ ଶ୍ରୀମୁଖ ଦର୍ଶନ ମିଳିବ। ଏହାବ୍ୟତୀତ ଯାଗା ମହାବୀର ଓ ବାଟ ମହବୀରଙ୍କ ସହ ବିଭିନ୍ନ ଗ୍ରାମର ଦେବାଦେବୀ ଓ ମଠ ମନ୍ଦିରରେ ଠାକୁରଙ୍କୁ ଘୋଡ଼ଲାଗି କରାଯାଇଛି।