Categories: ଭଦ୍ରକ

ସାଇନ୍ସ ପାର୍କ ନିର୍ମାଣ ପାଇଁ କୁଳେଇପଦାରେ ଅନୁଧ୍ୟାନ

ଆରଡ଼ି, ୮।୮ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦା ପଡ଼ିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ସାଇନ୍ସ ପାର୍କ ଯୋଜନା ଏବେ ରୂପରେଖ ନେବାକୁ ଯାଉଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କନିଷ୍ଠ ଯନ୍ତ୍ରୀ ବିପିନ କୁମାର ସେଠୀ ବୁଧବାର ଏକ ବୈଷୟିକ ଟିମ୍‌ ସହ ଆସି ଏଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ସମୟରେ ଆରଡ଼ି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଏହି ଟିମ୍‌ ୫ ଏକର ପରିଧି ମଧ୍ୟରେ କିପରି ଏହି ପ୍ରକଳ୍ପ ନିର୍ମାଣ କରାଯାଇ ପାରିବ ତାହାର ନମୁନା ପ୍ରସ୍ତୁତି କାର୍ଯ୍ୟ କରିବା, ଦେଢ଼ ମାସ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପୂର୍ବାଭାଷ କନିଷ୍ଠ ଯନ୍ତ୍ରୀ ଦେଇଥିଲେ।
ଉଲ୍ଲେଖନୀୟ ଯେ, ଏହି ସାଇନ୍ସ ପାର୍କ ନିର୍ମାଣ ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଦୁଇବର୍ଷ ତଳେ ପ୍ରସ୍ତାବ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରୀ ତଥା ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଥିଲା। ନିକଟରେ ଏହି ପ୍ରକଳ୍ପ ନିର୍ମାଣ ସମ୍ବନ୍ଧୀୟ ବିଧେୟକ ବିଧାନସଭାରେ ପାରିତ ହୋଇଥିଲା। ଏଥିନିମନ୍ତେ ପ୍ରାଥମିକ ସ୍ତରରେ ଅର୍ଥ ମଞ୍ଜୁର ହୋଇଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ପାର୍କ ନିର୍ମାଣ ସକାଶେ ପ୍ରାଥମିକ ପର୍ଯ୍ୟାୟରେ ୫ ଏକର ଜମି କୁଳେଇପଦା ପଡ଼ିଆରୁ ଅଧିଗ୍ରହଣ କରାଯାଇଥିଲା। ଜିଲାର ଅନ୍ୟ କୌଣସି ସ୍ଥାନରେ ସାଇନ୍ସ ପାର୍କ ନ ଥିବାବେଳେ ଏଠାରେ ନିର୍ମାଣ ହେବାକୁ ଯାଉଥିବା ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।