ସାଇକେଲ ଯୋଗେ ବିଶାଖାପାଟଣାରୁ ୧୪ ଶ୍ରମିକ ଘରମୁହାଁ

ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶହ ଶହ ଶ୍ରମିକ ଏବେ ଘରମୁହାଁ ହୋଇଛନ୍ତି। କେହି କେହି ସାଇକେଲ ଯୋଗେ ତ ଆଉ କେହି ଚାଲିଚାଲି ନିଜ ଗାଁକୁ ଫେରୁଛନ୍ତି। ସେହିପରି ବିଶାଖାପାଟଣାରେ ପ୍ରାୟ ୧୪ ଜଣ କାମ କରୁଥିଲେ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏମାନଙ୍କ ଘର। ଲକ୍‌ଡାଉନ୍‌ ହେବା ପରେ ଏହି ଶ୍ରମିକମାନେ ଖାଇବାକୁ ନ ପାଇ ଅନେକ ହଇରାଣ ହରକତ ହୋଇ ବିଶାଖାପାଟଣାରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଯିବା ଲାଗି ରବିବାର ରାୟଗଡ଼ାରେ ପହଞ୍ଚିଛନ୍ତି। ଦୀର୍ଘଦିନ ହେଲା ଖାଇବାକୁ ନ ପାଇ ଆଜି ସ୍ଥାନୀୟ ବସ୍‌ଷ୍ଟାଣ୍ଡଠାରେ ରୋଷେଇ କରି ଖାଉଛନ୍ତି। ଓଡ଼ିଶା ସରକାର ନା ଆନ୍ଧ୍ର ସରକାର କେହି ବି ତାଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରୁନାହାନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାର ଉମାଶଙ୍କର ବେହେରା କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସରିଛି। ନିଜ ବ୍ୟବସ୍ଥାରେ ଯିବେ। ଆମକୁ ଆଉ କୌଣସି ଗାଇଡ୍‌ଲାଇନ ନାହିଁ। ଏହି ସମସ୍ତ ଶ୍ରମିକ କ୍ୱାରାଣ୍ଟାଇନ୍‌ରେ ଥିଲେ। କାହାଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ। ସେମାନେ ଘରକୁ ଯାଇପାରିବେ।