ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି ସେ ସାଇକେଲ୍‌ ଚଳାଉଥିବା ଦେଖିବାକୁ ମିଳେ। ବେଳେ ବେଳେ ଶୁଟିଂ ସେଟ୍‌ରୁ ଟିକେ ସମୟ କାଢ଼ି ସାଇକେଲ ଚଳାଇଥାନ୍ତି ସଲ୍ଲୁମିଆଁ। ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମି ଯାଇଥାଏ। ନିକଟରେ ସଲମାନ ପୁଣି ଥରେ ରାସ୍ତାରେ ସାଇକେଲ ଚଳାଇଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ କେହି ଚିହ୍ନିପାରି ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ବକ୍ସ ଅଫିସ୍‌ରେ ବଲିଉଡ୍‌ ଭାଇଜାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସଫଳତା ପରେ ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ରାଧେ: ଦ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ର ଶୁଟିଂ ଆରମ୍ଭ ହୋଇଛି। ସଲମାନ ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ବେଳେ ତାଙ୍କ ଶୁଟିଂ ସେଟ୍‌ ମହାଲକ୍ଷ୍ମୀରେ ଅବସ୍ଥିତ। ଦୁଇଟି ସ୍ଥାନର ଦୂରତା ଅଧିକ ଥିଲେ ମଧ୍ୟ ସଲମାନ ନିଜ କାର୍‌କୁ ଛାଡି ସାଇକେଲରେ ଶୁଟିଂ ସେଟ୍‌କୁ ଯାଇଥିଲେ। ଆଉ ତାଙ୍କ ପଛେ ପଛେ ସିକ୍ୟୁରିଟି କାର୍‌ ଯାଉଥିଲା। ସଲମାନ ରାସ୍ତାରେ କ୍ୟାପ୍‌ ପିନ୍ଧି ଯାଉଥିବା ବେଳେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। ତେବେ ସଲମାନଙ୍କ ସାଇକେଲ ଚଳାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share