ସାଇକେଲ ଆରୋହୀଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌

ଦିଗପହଣ୍ଡି,୨ା୩(ଡି.ଏନ.ଏ.)-ଦିଗପହଣ୍ଡି ଥାନା ରାଜପୁର ରୋଡରେ ସୋମବାର ଜଣେ ସାଇକେଲ ଆରୋହୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୫ ଭରି ଓଜନର ସୁନା ଅଳଙ୍କାର ମୁଣିକୁ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ରାଜପୁର ଗ୍ରାମର ସୁଦର୍ଶନ ବିଷୋୟୀ। ପ୍ରକାଶ ଯେ, ସୁଦର୍ଶନ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖାରେ ବନ୍ଧକ ରଖିଥିବା ସୁନା ଅଳଙ୍କାର ଗୁଡିକୁ ମୁକୁଳାଇ ଅପରାହ୍ନରେ ରାଜପୁର ଗ୍ରାମ ସ୍ଥିତ ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଏହା ଜାଣିପାରି ତାଙ୍କୁ ଏକ ବାଇକ୍‌ରେ ପିଚ୍ଛା କରିଥିଲେ। ପରେ ରାଜପୁର ଗ୍ରାମ ମୁଖ୍ୟ ରାସ୍ତାର ନିଛାଟିଆ ସ୍ଥାନ ଦେଖି ସୁଦର୍ଶନଙ୍କୁ ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ପ୍ରଥମେ ସୁଦର୍ଶନଙ୍କୁ ଗଳାଧକ୍କା ମାରିଥିଲେ। ସେ ତଳେ ପଡିଯିବା ପରେ ଦୁର୍ବୃତ୍ତ ଦ୍ୱୟ ସୁନା ମୁଣି ଛଡାଇ ନେଇ ଦିଗପହଣ୍ଡି ଅଭିମୁଖେ ଚମ୍ପଟ ମାରିଥିଲେ। ସୁଦର୍ଶନ ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ବେଳେ ଦୁର୍ବୃତ୍ତମାନେ ହେଲ୍‌ମେଟ ପିନ୍ଧିଥିବା ସେ ପୋଲିସକୁ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।