ସାଇକେଲରେ ତାମିଲନାଡୁରୁ ତେଲକୋଇ

ଢେଙ୍କାନାଳ ଅଫିସ, ୨୩ା୫-ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୈନ୍ୟର ଗୋଟିଏ ପରେ ଗୋଟିଏ ଚିତ୍ର ପଦାକୁ ଆସିବାରେ ଲାଗିଛି। ଅସମୟରେ କମ୍ପାନୀ ହାତ ଛାଡ଼ିଦେବା ପରେ ଭୋକ ବିକଳରେ ଭିଟାମାଟି ଅଭିମୁଖେ ଗଣପଳାୟନ କରୁଛନ୍ତି ଦାଦନ। ବକେୟା ଶୁଝି ନ ପାରି ସୁଦୂର ତାମିଲନାଡୁରେ ବନ୍ଧକ ଥିବା ୧୬ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ସହାୟତାରେ ମୁକୁଳିବା ପରେ ୭ଦିନର କଷ୍ଟକର ଯାତ୍ରା କରି ସାଇକେଲରେ ଘରକୁ ବାହୁଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଅଞ୍ଚଳର ଜଣେ ଏବଂ କେନ୍ଦୁଝର ଜିଲା ତେଲକୋଇର ୧୫ଜଣ ଅଛନ୍ତି।
ସମ୍ପୃକ୍ତ ଶ୍ରମିକମାନେ ତାମିଲନାଡୁର କ୍ରିଷ୍ଣାଗିରି ଜିଲାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କରୋନା ଲାଗି ଲଗ୍‌ଡାଉନ୍‌ ଘୋଷଣା ହେବା ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା। ଜୀବିକା ଯିବା ପରେ ଏକ ଗ୍ରସେରି ଦୋକାନରୁ ବାକିରେ ସାମଗ୍ରୀ ଆଣି ସେମାନେ କିଛିଦିନ ଚଳିଥିଲେ। ଏ ସମ୍ପର୍କରେ କମ୍ପାନୀକୁ ଜଣାଇବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଲେନାହିଁ। ଏଣେ ଗ୍ରସେରି ବ୍ୟବସାୟୀ ବାକି ଟଙ୍କା ଫେରିପାଇବା ଆଶଙ୍କାରେ ଶ୍ରମିକଙ୍କୁ ଗୋଟିଏ ସ୍ଥାନରେ ବନ୍ଧକ ରଖିଥିଲେ। ଶ୍ରମିକମାନେ ପରିବାରକୁ ସୂଚନା ଦେବାପରେ ସେମାନଙ୍କ ପାଖକୁ ଟଙ୍କା ପଠାଯାଇଥିଲା। ଦୋକାନୀଙ୍କୁ ବକେୟା ଟଙ୍କା ଦେଇ ମୁକୁଳିବା ପରେ ଗତ ୧୭ ତାରିଖରେ ସମସ୍ତେ ସାଇକେଲରେ ଘରମୁହଁା ହୋଇଥିଲେ। ବିଜୟୱାଡା ପ୍ରଶାସନ ସେମାନଙ୍କୁ ଏକ ଟ୍ରକ୍‌ରେ ବିଶାଖାପାଟଣା ଯାଏ ପହଞ୍ଚାଇଥିଲା। ଶ୍ରମିକମାନେ ଦିନସାରା ରାସ୍ତାକଡ଼ରେ ବିଶ୍ରାମ ନେଉଥିବାବେଳେ ଅପରାହ୍ନ ୪ଟାରୁ ରାତିତମାମ ସାଇକେଲ ଚଳାଉଥିବା ରଙ୍ଗ ମାଟି ଏବଂ ସ୍ବାଧୀନ ଟିକା କହିଛନ୍ତି। ସପ୍ତଶଯ୍ୟ ଅଞ୍ଚଳର ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିବା ସରପଞ୍ଚ ଯେଶସ ସାହୁ କହିଛନ୍ତି। ସେହିପରି ତେଲକୋଇ ଅଞ୍ଚଳର ୧୫ଜଣ ଶ୍ରମିକଙ୍କୁ ପୌରସଂସ୍ଥା ପକ୍ଷରୁ ଖାଦ୍ୟପେୟ ଦିଆଯିବାପରେ ସେମାନେ ଘର ଅଭିମୁଖେ ଯାଇଥିବା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି।