ସହାୟତା ଲାଗି ଅଟୋ ଚାଳକ ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର ଅଫିସ, ୯।୬- କୋଭିଡ୍‌-୧୯ ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର ଅଟୋ ଚାଳକ ସଂଘ ବାରମ୍ବାର ସରକାରୀ ସହାୟତା ଦାବି କରିଆସୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ କୌଣସି ସହାୟତା ଦିଆଯାଉନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ଜିଲାପାଳଙ୍କ ଅଫିସ୍‌ ପରିସରରେ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା।
ବାଲେଶ୍ୱର ଜିଲାରେ ୮ଶହରୁ ଊର୍ଦ୍ଧ୍ୱ ଅଟୋଚାଳକ କୋଭିଡ୍‌-୧୯ ପାଇଁ ହୋଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ ପ୍ରଭାବିତ ହୋଇଛନ୍ତି। ଦିନ ଓ ରାତିରେ ଅଟୋ ଚଳାଉଥିବା ଡ୍ରାଇଭର ଗତ ୩ମାସ ଧରି ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ସର୍ବନିମ୍ନ ସହାୟତା ପାଇଁ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇଥିଲେ। ଗତ ୪ ତାରିଖରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ସେମାନଙ୍କୁ ସହାୟତା ଯୋଗାଇଦେବା ବିଷୟରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲାପାଳ ନାୟକ ସେମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଟୋ ଚାଳକ ସଂଘ ପକ୍ଷରୁ ପ୍ଲାକାର୍ଡ଼ ଧରି ବିକ୍ଷୋଭ କରାଯାଇଥିଲା। ସଂଘ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ କହିବାନୁସାରେ ଶତାଧିକ ଅଟୋ ଚାଳକଙ୍କ ପରିସ୍ଥିତି ସଙ୍କଟାପନ୍ନ ହୋଇଛି। ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି। ବାରମ୍ବାର ସହାୟତା ଦାବି ନେଇ ଜିଲା ପ୍ରଶାସନ ନିକଟରେ ଜଣାଯାଇଛି। ଜିଲା ପ୍ରଶାସନ ସହ ଏନେଇ ବୁଧବାର ଆଲୋଚନା କରାଯିବାର ନିଷ୍ପତ୍ତି ପରେ ଆନ୍ଦୋଳନ ଥମିଥିଲା।